୪.  ବନ୍ୟା

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତଃ, ଆମ୍ଭେମାନେ ଆପଣା ଆରାମଦାୟକ ଚୌକିରେ ବସିଅଛୁ, ତଥାପି ବାହ୍ୟ ଜଗତ ଅନ୍ଧକାରମୟ ଓ କୁତ୍ସିତ ହୋଇ ପାରେ ବୋଲି ଆମ୍ଭମାନଙ୍କୁ ସ୍ମରଣ କରାଯାଏ। ଏହା ଠିକ୍ ରାସ୍ତାଦାଣ୍ଡରେ ଅନ୍ଧକାରମୟ ଓ କୁତ୍ସିତ ହୋଇ ପାରେ କାରଣ ଯେଉଁମାନେ ଆମ୍ଭମାନଙ୍କ ନିକଟରେ ବସବାସ କରନ୍ତି, ସେମାନେ ନର୍କଗାମୀ ଓ ବିନାଶକୁ ଅଗ୍ରସର ଅଟନ୍ତି। ଏବଂ ଏହା ଜଗତର ସେହି ସ୍ଥାନମାନଙ୍କରେ ଅନ୍ଧକାରମୟ ଓ କୁତ୍ସିତ ହୋଇ ପାରେ, ଯେଉଁଠାରେ ଲୋକମାନେଙ୍କୁ ଏକତ୍ର ହେବା ପାଇଁ ଅନୁମତି ଦିଆଯାଇ ନାହିଁ ତଥାପି, ପିତଃ, ଆପଣ ସେହି ଅନ୍ଧକାରମୟ ଓ କୁତ୍ସିତ ସ୍ଥାନମାନଙ୍କରେ ନିଜକୁ ପରମେଶ୍ୱର ରୂପେ ପ୍ରକାଶିତ କରନ୍ତି। ଆଉ ଏପରିକି ଚିନ୍‌ର ସରକାରଙ୍କଠାରେ ଅବିଶ୍ୱସନୀୟ ଶକ୍ତି ହେବା ସତ୍ତ୍ୱେ, ଆପଣ ୬୦-୭୦ ମିଲିୟନ୍ ଲୋକଙ୍କୁ ଆପଣା ନିକଟକୁ ଆକର୍ଷିତ କରିଅଛନ୍ତି। ପିତଃ, ଏହା ଏକ ଆଶ୍ଚର୍ଯ୍ୟଜନକ ସଂଖ୍ୟା ଅଟ ଏବଂ ପାପ ମଧ୍ୟରେ ଆପଣ କିପରି ଆପଣା ଲୋକମାନଙ୍କୁ ମୁକ୍ତି ପ୍ରଦାନ କରନ୍ତି, ପିତଃ ଆମ୍ଭେମାନେ ଆପଣଙ୍କୁ ଉଭୟ ପାପର ବିଚାରକର୍ତ୍ତା ଓ ଧାର୍ମିକ ଲୋକଙ୍କ ପରିତ୍ରାଣକର୍ତ୍ତା ରୂପରେ ଏହିଠାରେ ଉତ୍ସାହିତ ଓ ଆହ୍ୱାନିତ ଭାବେ ସ୍ଥଗିତ ହୋଇ ଦେଖି ପାରୁଁ। ଯୀଶୁଙ୍କ ନାମରେ, ଆମେନ୍।

୧. ପରିଚୟ

ଠିକ୍ ଅଛି, ଆମ୍ଭେମାନେ ଆଦି ପୁସ୍ତକ ୩ ପର୍ବରେ ଆଦମ ଓ ହବାଙ୍କ ପାପର ପ୍ରଭାବ ଓ ଫଳ ଖାଇବାର ଏବଂ ଉଦ୍ୟାନରୁ ତଡ଼ି ଦିଆଯିବାର ପରିଣାମକୁ ଆରମ୍ଭରେ ଅନୁଭବ କରିବା କାହାଣୀକୁ ସ୍ଥଗିତ କଲୁ। ଆଦି ପୁସ୍ତକ, ଅର୍ଥାତ୍‌ ବାଇବଲର ପ୍ରଥମ ପୁସ୍ତକର ୪ ପର୍ବରୁ ୬ ପର୍ବର ମଧ୍ୟସ୍ଥିତ ଅଂଶରେ ଆମ୍ଭେମାନେ ଦେଖିବା ଆରମ୍ଭ କରୁ ଯେ ପାପ ଓ ତାହାର ପରିଣାମସବୁ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ୪ ପର୍ବରେ କୟିନ ଆପଣା ଭାଇ ହେବଲକୁ ହତ୍ୟା କଲେ। ଆଉ ପ୍ରାୟତଃ ଆଠ ପିଢ଼ି ପରେ ଆମ୍ଭେମାନେ ଲେମକଙ୍କ ସହିତ ସାକ୍ଷାତ କରୁ, ଯିଏ ଦୁଇଟି ସ୍ତ୍ରୀଙ୍କୁ ବିବାହ କରିବାର ବୃଥା ଗର୍ବ କରନ୍ତି, ଏହିପରି ସେ ଆଦି ପୁସ୍ତକ ୨ ପର୍ବରେ ଦତ୍ତ ଆଦେଶର ଅନାଜ୍ଞାବହ ହୁଅନ୍ତି, ଓ ସେ ଗୋଟିଏ ବ୍ୟକ୍ତିଙ୍କୁ ହତ୍ୟା କରିବା ବିଷୟରେ ବୃଥା ଗର୍ବ କରନ୍ତି। ପାପ ଓ ତା’ର ପରିଣାମସବୁ ଦିନକୁ ଦିନ ଅନ୍ଧକାରମୟ ହେବାରେ ବୃଦ୍ଧି ପାଇବାରେ ଲାଗିଛି, ଏବଂ ଯଦି ଆମ୍ଭେମାନେ ଏହି ବଂଶାବଳୀରେ ବର୍ଷଗୁଡ଼ିକୁ ଯୋଗ କରୁ, ତେବେ ଆମ୍ଭେମାନେ ଆଦମଙ୍କଠାରୁ ଅନ୍ତତଃ ୧୫୦୦ ବର୍ଷ ଦୂରରେ ଛୁ।

୨. ବିଚାରକର୍ତ୍ତା ରୂପରେ ପରମେଶ୍ୱର

ଏଥିଉତ୍ତାରେ ଆମ୍ଭେମାନେ ଲେମକଙ୍କ ପୁତ୍ର ନୋହଙ୍କ ସମୟକୁ ଆସୁ। ଆଉ ଆମ୍ଭେମାନେ ନୋହଙ୍କ କାହାଣୀ ଓ ଜଳ ପ୍ଲାବନ ବିଷୟରେ ପଠନ କରୁ। ବର୍ତ୍ତମାନ ଆମ୍ଭେମାନେ ଆଦି ପୁସ୍ତକ ୬ ପର୍ବର ୫ ପଦରୁ ଆରମ୍ଭ କରିବା। ମୋଶା ଲେଖନ୍ତି, “ଅନନ୍ତର ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର। ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ‘ଆମ୍ଭେ ଭୂମଣ୍ତଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।’” ଯେତେବେଳେ ବାଇବଲ କହେ ଯେ ପରମେଶ୍ୱର ଅନୁତାପ କରନ୍ତି, ତେବେ ଏହାର ଅର୍ଥ ତାହା ନୁହେଁ ଯେ ସେ ଭୁଲ କରିଅଛନ୍ତି। ମାତ୍ର ପରମେଶ୍ୱର ଯେ କିଛି କରିବାକୁ ଯାଉଅଛନ୍ତି, ତାହା ବାଇବଲ ଏହି ରୂପରେ ପ୍ରକାଶ କରେ। ଏବଂ ସୃଷ୍ଟି, ବିଶେଷ ଭାବରେ ମନୁଷ୍ୟ ଏତେ ଦୁଷ୍ଟ ହୋଇଅଛି ଯେ ପରମେଶ୍ୱରଙ୍କ ନିମନ୍ତେ କେବଳ ଗୋଟିଏ ମାତ୍ର ମାର୍ଗ ଅଛି ଯେ ସେ ସୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରନ୍ତୁ। ୫ ପଦର ପୁନରାବୃତ୍ତିକୁ ଧ୍ୟାନ ଦିଅନ୍ତୁ, “ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର।” ମୁଖ୍ୟ ବିଷୟ ଏହା ଯେ, ୩ ପର୍ବରେ ପାପ ଆରମ୍ଭ ହେଲା ପରେ ଆମ୍ଭେମାନେ ଦେଖୁ ଯେ, ୪, ୫ ଓ ୬ ପର୍ବରେ ପାପ ଏପରି ବଢ଼ି ଚାଲିଛି ଯେ ତାହା ପରମେଶ୍ୱରଙ୍କ ନିମନ୍ତେ ଏକ ଚିନ୍ତାର ବିଷୟ ହୋଇଅଛି। ସବୁକିଛି ଦୁଷ୍ଟତାରେ ପୂର୍ଣ୍ଣ ଅଟେ ଓ ଏହି ବିଷୟରେ ପରମେଶ୍ୱରଙ୍କୁ କିଛି କରିବା ଆବଶ୍ୟକ ଅଟେ।

 

କ. ପାପର ଧର୍ମତତ୍ତ୍ୱ ଶିକ୍ଷା

ଯଦି ଆପଣ ଗୋଟିଏ ଧର୍ମତତ୍ତ୍ୱ ଶିକ୍ଷା ପୁସ୍ତକକୁ ଉଠାନ୍ତି ଓ ପାପର ସିଦ୍ଧାନ୍ତକୁ ଦେଖନ୍ତି, ତେବେ ଆପଣ ଏହି ବିଶିଷ୍ଟ ଅନୁଚ୍ଛେଦ ବାରମ୍ବାର ଉଲ୍ଲେଖ କରାଯାଇଥିବା ଦେଖି ପାରିବେ, କାରଣ ଏହା ମନୁଷ୍ୟ ଜାତିର ପାପକୁ ବର୍ଣ୍ଣନା କରିବା ନିମନ୍ତେ ପୁରାତନ ନିୟମରେ ସମସ୍ତ ଅନୁଚ୍ଛେଦମାନଙ୍କ ମଧ୍ୟରୁ ଅଧିକ ବଳିଷ୍ଠ ଅନୁଚ୍ଛେଦ ଅଟେ। ଆମ୍ଭେମାନେ ଏହି ଅନୁଚ୍ଛେଦକୁ ଯାଉ ଓ ମୂଳ ପାପ ବିଷୟରେ ଆଲୋଚନା କରିଥାଉ। ମୂଳପାପର ସିଦ୍ଧାନ୍ତ ଏହା ଯେ, ଯେତେବେଳେ ଆଦମ ଓ ହବା ସୃଷ୍ଟ ହେଲେ, ସେମାନଙ୍କଠାରେ ମନ୍ଦ କାର୍ଯ୍ୟ କରିବାର ପ୍ରବୃତ୍ତି ନ ଥିଲା, ଯେତେବେଳେ ସେମାନେ ସେହି ବୃକ୍ଷର ଫଳ ତୋଳି ଖାଇଲେ, ଏହା ସ୍ପଷ୍ଟ ରୂପରେ ଏକ ସ୍ୱେଚ୍ଛିକ କାର୍ଯ୍ୟ ଥିଲା। ସେମାନେ ପାପ କରିବା ହେତୁ, ପାପ ଜଗତରେ ପ୍ରବେଶ କଲା। ମୂଳ ପାପର ସିଦ୍ଧାନ୍ତ ଏହା ଶିକ୍ଷା ଦିଏ ଯେ, ମାନବ ହେବାର ଅର୍ଥ ଯାହା ଅଟେ ତାହାକୁ ଏପରି ପରିବର୍ତ୍ତିତ କରିଅଛି ଯେ ଆପଣ ଓ ମୁଁ ନୈତିକ ରୂପରେ ନିଷ୍ପାପ ନୋହୁଁ, ମାତ୍ର ଆପଣ ଓ ମୁଁ ପାପର ପ୍ରବୃତ୍ତି ସହିତ ଜନ୍ମ ଗ୍ରହଣ କରିଅଛୁ। ଧର୍ମଶାସ୍ତ୍ରଜ୍ଞମାନେ ଅନ୍ତର୍ନିହିତ ପାପର ସ୍ୱଭାବ ବିଷୟରେ କହନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ ଆମ୍ଭେମାନେ ପାପ ହେତୁ ଜନ୍ମ ଗ୍ରହଣ କରିଅଛୁ, କିନ୍ତୁ ଅଧିକାଂଶ ଲୋକଙ୍କ ସହିତ ମୁଁ ମଧ୍ୟ ବିଶ୍ୱାସ କରେ ଯେ ଆମ୍ଭେମାନେ ସମସ୍ତେ ପାପର ଏକ ସ୍ୱଭାବ ସହିତ ଜନ୍ମ ଗ୍ରହଣ କରିଅଛୁ। ଆଉ ଏହି ବାକ୍ୟାଂଶ ପାପର ପ୍ରଭାବ ବିଷୟରେ ଆଲୋଚନା କରୁଥିବା ବାକ୍ୟାଂଶ ମଧ୍ୟରୁ ଏକ ଅଟେ, ଯେ ଏହା ସମସ୍ତଙ୍କ ଉପରେ ଅଧିଷ୍ଠିତ ହୋଇଅଛି ଓ ୭ ପଦ ପର୍ଯ୍ୟନ୍ତ ସମସ୍ତେ ପାପର ବଶୀଭୂତ ହୋଇଅଛନ୍ତି। ଆମ୍ଭେମାନେ ଏହି ଅନୁଚ୍ଛେଦରେ ପତନର ସିଦ୍ଧାନ୍ତକୁ ମଧ୍ୟ ଦେଖୁ। ଆମ୍ଭର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ପାପରେ କଳଙ୍କିତ ହେବା ସମ୍ପୂର୍ଣ୍ଣ ପତନର ସିଦ୍ଧାନ୍ତ ଅଟେ। ଆମ୍ଭର ମନ, ଆମ୍ଭର ହୃଦୟ, ଆମ୍ଭର ଇଚ୍ଛା, ମୁଁ ଓ ଆପଣ କିଏ, ତାହା ପାପ ଦ୍ୱାରା ପ୍ରଭାବିତ ହୋଇଅଛି। ଆମ୍ଭେମାନେ ଏହି ଅନୁଚ୍ଛେଦରେ ପୂର୍ଣ୍ଣ ପତିତ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ପତିତ ହେବା ଦେଖୁ, ଆମ୍ଭେମାନେ ନୁହେଁ କି? ସେମାନଙ୍କ ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ମନ୍ଦମାତ୍ର। ପାଉଲ ରୋମୀୟ ୩ ଅଧ୍ୟାୟରେ ତାହାକୁ “ଅଧାର୍ମିକ” କହନ୍ତି। ସେ କହନ୍ତି, “ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ”। ଯେତେବେଳେ ଏହା ଧର୍ମତତ୍ତ୍ୱ ବିଷୟରେ ଆଲୋଚନା ହୁଏ, ଏହା ବାଇବଲର ସମସ୍ତ ମୁଖ୍ୟ ବାକ୍ୟାଂଶ ମଧ୍ୟରୁ ଏକ ଅଟେ ଓ ଯଦି ଆପଣମାନେ ଆମ୍ଭମାନଙ୍କ ମଣ୍ଡଳୀର ବିଶ୍ୱାସର ବାକ୍ୟକୁ ଦେଖନ୍ତି, ତେବେ ସମ୍ପୂର୍ଣ୍ଣ ପତନ ଓ ମୂଳ ପାପ ପରିଲକ୍ଷିତ ହେବା ଦେଖି ପାରିବେ, ବିଶେଷ ରୂପରେ ଏହି ବାକ୍ୟାଂଶରେ, ଯେ ଆମ୍ଭେମାନେ ସ୍ୱଭାବରୁ ଓ ଇଚ୍ଛାନୁସାରେ ପାପୀ ଅଟୁ।

ଏହି ବାକ୍ୟ ଯେଉଁ ବିନ୍ଦୁକୁ ସ୍ଥାପିତ କରିବାକୁ ଚେଷ୍ଟା କରୁଅଛି ତାହା ଏହା ଯେ ସମୟ ଅନ୍ଧକାରମୟ ଅଟେ। ଏହା ଠିକ୍ ନୁହେଁ। ସମୟ ଅନ୍ଧକାରମୟ ଅଟେ ଓ ପାପ ପରମେଶ୍ୱରଙ୍କ ସୃଷ୍ଟିକୁ ବିହ୍ୱଳ କରିଅଛି। କିନ୍ତୁ ଏହି ଅନୁଚ୍ଛେଦରେ ପାପର ସିଦ୍ଧାନ୍ତ ବିଷୟରେ, ପାପର ଧର୍ମତତ୍ତ୍ୱ ବିଷୟରେ କିଛି ଭିନ୍ନ ବିଷୟ ରହିଅଛି, ତାହା ଯେପରି ଆମ୍ଭେମାନେ ଦେଖି ପାରୁ, ସେଥିପାଇଁ ମୁଁ ନିଶ୍ଚିତ କରିବାକୁ ଚାହେଁ। ୬ ପଦରେ, ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ। ପାପ ପରମେଶ୍ୱରଙ୍କ ହୃଦୟକୁ ଖେଦିତ କରେ। ଯେତେବେଳେ ଆଦମ ଓ ହବା ବୃକ୍ଷରୁ ଫଳ ଖାଇଲେ, ତାହା ପରମେଶ୍ୱରଙ୍କୁ ଖେଦିତ କଲା। ଯେତେବେଳେ ଲେମକ ଦୁଇଟି ଭାର୍ଯ୍ୟା ଗ୍ରହଣ କଲେ, ତାହା ପରମେଶ୍ୱରଙ୍କୁ ଖେଦିତ କଲା। ଯେତେବେଳେ ସମାଜ ହତ୍ୟା କରିବାକୁ ସମ୍ମତି ପ୍ରଦାନ କଲା, ତାହା ପରମେଶ୍ୱରଙ୍କୁ ଖେଦିତ କଲା। ପାପ ପରମେଶ୍ୱରଙ୍କ ହୃଦୟକୁ ଖେଦିତ କରେ। ମୁଁ ଚିନ୍ତା କରେ, ଯେ ଏହା ଏପରି ବିଷୟମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯେଉଁଠାରୁ ଆପଣଙ୍କୁ ପଛଘୁଞ୍ଚା ଦେଇ ଓ କିଛି ସମୟ ଚିନ୍ତା କରି ବାସ୍ତବରେ ହୃଦୟବୋଧ କରିବା ଆବଶ୍ୟକ। ଆଦିପୁସ୍ତକର ପରମେଶ୍ୱର ଆପଣ ଓ ମୋ ନିମନ୍ତେ ଆପଣା ହୃଦୟକୁ ମୁକ୍ତ କରନ୍ତି ଓ ଆପଣ ଓ ମୋତେ ତାହାଙ୍କୁ ଖେଦିତ କରିବା ପାଇଁ ବା ମାନସିକ ବ୍ୟଥା ଦେବା ପାଇଁ କ୍ଷମତା ଦିଅନ୍ତି। ଆପଣ କେବେ କିଛି ଭୁଲ କରିଛନ୍ତି କି? ଆପଣ କେବେ ଆପଣା ମାତାପିତାଙ୍କୁ ମାନସିକ ବ୍ୟଥା ଦେଇଅଛନ୍ତି? ମୁଁ କେବଳ ଯୁବାମାନଙ୍କୁ କହୁ ନାହିଁ। ବିଶ୍ୱାସ କରନ୍ତୁ ବା ନାହିଁ, ଏହା ବିଶ୍ୱାସ କରିବା ପାଇଁ କଷ୍ଟକର ହୋଇପାରେ, ମୁଁ ବୃଦ୍ଧି ପାଉଥିବା ସମୟରେ ଥରେ କରିଅଛି। ଆଉ ମୁଁ ତାହା କଲି ଯାହା ପ୍ରକୃତରେ ଭୁଲ ଥିଲା ଓ ମାତାପିତା ଯେଉଁ ବାକ୍ୟ ପ୍ରୟୋଗ କରିଥିଲେ, ତାହା ମୁଁ ବୁଝି ପାରିଥିଲି, ସେମାନେ ମୋତେ ଅନୁଶାସ କଲେ ଓ ମୁଁ ସେଥିପାଇଁ ଧନ୍ୟବାଦି ଅଟେ। କିନ୍ତୁ ଏପରି ଅନେକ ସମୟ ଥିଲା, ଯେଉଁ ସମୟରେ ମୁଁ ଅନେକ ବିଷୟ କରିଥିଲି, ଯେଉଁଠାରେ ତାହା କିଛି ଭିନ୍ନ ଥିଲା ଓ ମୁଁ ତାହା ସ୍ମରଣ କରେ, କାରଣ ସେଥିପାଇଁ କେବେ ମଧ୍ୟ ଦଣ୍ଡ ପାଇ ନ ଥିଲି, କିନ୍ତୁ ଏହା ମୋ ମାତାପିତାଙ୍କୁ ଖେଦିତ କରିଥିଲା। ଏହା ଅତୀତର ଅନୁଶାସନକୁ ନେଇଗଲା ଓ ତାହା ଏପରି ଖେଦିତ କଲା ଯେ ସେମାନେ କିଛି ପ୍ରତ୍ୟୁତ୍ତର ଦେଇପାରି ନ ଥିଲେ। କିନ୍ତୁ ସେମାନଙ୍କୁ ପ୍ରତ୍ୟୁତ୍ତର ଦେବାକୁ ମଧ୍ୟ ଆବଶ୍ୟକ ନ ଥିଲା, କାରଣ ମୁଁ ସେମାନଙ୍କ ଚକ୍ଷୁରେ ତାହା ଦେଖି ପାରୁଥିଲି। ମୁଁ ଶୁକ୍ରବାର ଦିନ କିଛି କଲି, କିନ୍ତୁ ମୋର ମନେ ନାହିଁ ଯେ ଏହା କ’ଣ ଥିଲା, ମୁଁ ବାପାଙ୍କୁ ପଚାରିବା ପାଇଁ ଫୋନ୍ କରି ନ ଥିଲି। ମୋର ମନେ ପଡ଼େ ନାହିଁ ଯେ ମୁଁ କ’ଣ କରିଥିଲି, ମାତ୍ର ଏହା ଶୁକ୍ରବାର ଦିନ ଥିଲା। ଆଉ ମୁଁ ଆପଣା ପିତାଙ୍କ ଚକ୍ଷୁରେ ଦେଖିଲି ଓ କହିଲି, “ପ୍ରକୃତରେ ମୁଁ କିଛି ଭୁଲ କରିଅଛି। ମୁଁ ଆପଣା ସାମନ୍ୟ କଦାଚାରରୁ କିଛି ଭିନ୍ନ କରିଅଛି।” ମୁଁ ଆପଣା ପିତାଙ୍କୁ ଦୁଖିଃତ କଲି। ଆଉ ମୁଁ ତାହାଙ୍କ ଚକ୍ଷୁରେ ତାହା ଦେଖି ପାରିଥିଲି। ମୁଁ ଶନିବାର ଦିନ ସକାଳେ ଉଠି ପିତାଙ୍କୁ ଖୋଜିବାର ଥିଲା। ତା’ପରେ ରବିବାର ଦିନ ତାହାଙ୍କୁ ମଣ୍ଡଳୀରେ ହାରମୋନିୟମ୍ ବଜାଇବାର ଥିଲା, ଆଉ ମୁଁ ଜାଣି ନ ଥିଲି ଯେ ସେ ମଣ୍ଡଳୀରେ ବଜାଉଅଛନ୍ତି, ତେଣୁ ମୁଁ ବୋଲିଙ୍ଗ୍‌ ଗ୍ରୀନ୍ ରେ, ଅର୍ଥାତ୍ ଯେଉଁଠାରେ ମୁଁ ପ୍ରଥମେ ଥିଲି, ଆପଣା ପିତାଙ୍କୁ କ୍ଷମା ମାଗିବା ପାଇଁ ଖୋଜୁଥିଲି, ଓ ଶେଷରେ ମୁଁ ତାହାଙ୍କୁ ପାଇଲି। ଦେଖନ୍ତୁ, ମୁଁ ଆପଣା ପିତାଙ୍କୁ ଖେଦିତ କଲି, ମୁଁ ଯାହା କଲି, ତାହା ତାହାଙ୍କ ହୃଦୟରେ ଏପରି ଗଭୀର ଭାବରେ ପ୍ରବେଶ କଲା ଯେ ସେ କ୍ରୋରେ କିଛି ପ୍ରତ୍ୟୁତ୍ତର ଦେଇ ନ ଥିଲେ, ସେ ଅନୁଶାସନ କରିବା ଦ୍ୱାରା ପ୍ରତ୍ୟୁତ୍ତର ଦେଇ ନ ଥିଲେ, ମାତ୍ର ଏହା ତାହାଙ୍କ ମୁଖରେ ପ୍ରକାଶ ପାଉଥିଲା, ଏହା ତାହାଙ୍କ ଚକ୍ଷୁରେ ପ୍ରକାଶ ପାଉଥିଲା। ଯେତେବେଳେ ବାଇବଲ କହେ ଯେ ପାପ ପରମେଶ୍ୱରଙ୍କୁ ଖେଦିତ କରେ, ମୋ ଅନୁସାରେ ତାହା ଏହିପ୍ରକାର ଅଟେ। ଯେପରି କୌଣସି ଏକ ସମ୍ପର୍କରେ ଏହା ବାସ୍ତବିକ ଅଟେ, ଆମ୍ଭମାନଙ୍କୁ ବିକଳ୍ପ ଦିଆଯାଇଅଛି ଯେ ଯେତେବେଳେ ଆପଣ ଏକ ସମ୍ପର୍କ ସ୍ଥାପନ କରୁଅଛନ୍ତି, ସେତେବେଳେ ଆପଣ ଲୋକମାନଙ୍କୁ ଆପଣଙ୍କ ହୃଦୟକୁ ଭାଙ୍ଗିବା ପାଇଁ କ୍ଷମତା ପ୍ରଦାନ କରୁଅଛନ୍ତି। ଆଉ ପରମେଶ୍ୱର ଆପଣ ଓ ମୋ ସହିତ ଠିକ୍ ତାହା କରିଅଛନ୍ତି। ଯେତେବେଳେ ଆମ୍ଭେମାନେ ପାପ କରୁ, ତାହା ପରମେଶ୍ୱରଙ୍କ ହୃଦୟକୁ ଖେଦିତ କରେ। ମୁଁ ଚାହୁଁ ନାହିଁ ଯେ ଆଜି ସକାଳେ କେହି ଯାଅନ୍ତୁ, ମୁଁ ଚାହୁଁ ନାହିଁ ଯେ କେହି ନୋହ ଓ ଜଳପ୍ଳାବନ ବିଷୟରେ କେବେ ଚିନ୍ତା କରି କହନ୍ତୁ, ପାପ କୌଣସି ବଡ଼ ବିଷୟ ନୁହେଁ। ଏଠାରେ ଅନେକ ଦ୍ୱିଗୁଣିତ ନାସ୍ତିବାଚକ ବିଷୟ ଅଛି, କିନ୍ତୁ ମୁଁ ଅନ୍ୟ ପ୍ରକାରରେ କହି ପାରିଲି ନାହିଁ। ମୁଁ ଚାହୁଁ ନାହିଁ ଯେ ଆପଣ ଏଠାରେ ମହତ୍ୱହୀନ ପାପ ବିଷୟରେ ଚିନ୍ତା କରିବା ତ୍ୟାଗ କରନ୍ତୁ। ମୁଁ ଚାହୁଁ ନାହିଁ ଯେ ଆଜି ସକାଳେ କେହି ଏଠାରୁ ଏହି ବିଚାରରେ ଯାଉ, ମୁଁ ଚାହୁଁ ନାହିଁ ଯେ ଆପଣ ଜଳପ୍ଳାବନ ବିଷୟରେ ଏପରି ଚିନ୍ତା କରି ଯାଆନ୍ତୁ, “ଠିକ୍ ଅଛି, ଏହା ଗୋଟିଏ ଭଲ କାହାଣୀ।” ମୁଁ ଚାହୁଁ ନାହିଁ ଯେ ଆଜି ସକାଳେ ଆପଣ ଏହା ଭାବି ଏଠାରୁ ଯାଆନ୍ତୁ, “ଠିକ୍ ଅଛି, ପାପ ସେତିକି ମନ୍ଦ ବିଷୟ ନୁହେଁ” ନିଶ୍ଚିତ ଭାବରେ, ଯଦି କିଛି ସେତିକି ମନ୍ଦ ନୁହେଁ, ତେବେ ତାହା ଭଲ ମଧ୍ୟ ନୁହେଁ।  କିନ୍ତୁ ଯେତେବେଳେ ଆମ୍ଭେମାନେ ପାପକୁ ସେହି ଦୃଷ୍ଟିକୋଣରେ ଦେଖିଥାଉ, ମୁଁ ଚିନ୍ତା କରେ ଯେ, ଆମ୍ଭେମାନେ ପରମେଶ୍ୱରଙ୍କ ହୃଦୟକୁ ତୁଚ୍ଛ ମନେ କରିଥାଉ। ଆମ୍ଭେମାନେ ସେହି କଷ୍ଟକୁ ତୁଚ୍ଛ ମନେ କରୁ ଯାହା ଆମ୍ଭମାନଙ୍କ ସକାଶୁ ତାହାଙ୍କୁ ହୋଇଥାଏ। କାରଣ ଯେତେବେଳେ ଆମ୍ଭେମାନେ ପାପକୁ ତୁଚ୍ଛ ମନେ କରୁ, ଆମ୍ଭେମାନେ କଣ କହିଥାଉ ପାପ ବଡ଼ ବିଷୟ ନୁହେଁ, ଅର୍ଥାତ୍ ବାସ୍ତବରେ ଆମ୍ଭେମାନେ କହୁଅଛୁ ଯେ ପବିତ୍ରତା କିଛି ସମୟ ପାଇଁ ମହତ୍ୱପୂର୍ଣ୍ଣ ଅଟେ। ୭ ପଦ ଅନୁସାରେ, ପାପ ଆମ୍ଭମାନଙ୍କ ଜୀବନକୁ ନଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ଅଟେ। ପାପ ପରମେଶ୍ୱରଙ୍କ ହୃଦୟକୁ ଖେଦିତ କରିବା ପାଇଁ ପର୍ଯ୍ୟାପ୍ତ ଅଟେ।

ଖ. ଜଳପ୍ଳାବନର କାହାଣୀ କ’ଣ ଏକ ପିଲାମାନଙ୍କ କାହାଣୀ ଅଟେ?

ମୋତେ ଏହି ପ୍ରଶ୍ନକୁ ଅନ୍ୟ ପ୍ରକାରରେ ପଚାରିବାକୁ ଦିଅନ୍ତୁ। ଜଳପ୍ଳାବନର କାହାଣୀ କ’ଣ ଏକ ପିଲାମାନଙ୍କ କାହାଣୀ ଅଟେ? ଆମ୍ଭେମାନେ ଇନ୍ଦ୍ରଧନୁର ଅଂଶକୁ କାଟୁ ଓ ସେଗୁଡ଼ିକୁ ଲଗାଇଥାଉ ଓ ସେହି ଭୟାନକ “ଅର୍କି-ଅର୍କି” ଗୀତଗୁଡ଼ିକୁ ଗାନ କରୁ। ତାହା ଭୟାନକ ଅଟେ, କିନ୍ତୁ ତଥାପି ଆପଣ ୧୫୦ ବାର ଶୁଣନ୍ତି। ମୋତେ ଲାଗେ ଯେ, ଆମ ହୃଦୟରେ କିଛି ଅଛି ଯାହା ଏହି ପ୍ଲାବନର କାହାଣୀକୁ ପିଲାମାନଙ୍କ ସୁନ୍ଦର କାହାଣୀ ରୂପରେ ପରିବର୍ତ୍ତନ କରିବାକୁ ଚାହେଁ। ନିଶ୍ଚିତ ଭାବରେ ଏହା ପିଲାମାନଙ୍କ କାହାଣୀ ଅଟେ ଯେପରି ସେମାନେ ବୁଝି ପାରନ୍ତି, କିନ୍ତୁ  ଜଳପ୍ଳାବନର କାହାଣୀ ମାନବଜାତିର ଅସ୍ତିତ୍ୱରେ ସବୁଠାରୁ ଏକ ଅନ୍ଧକାରମୟ ସମୟ ଅଟେ। ଏହା ଅନ୍ଧକାରମୟ ଥିଲା, ଏହା ଅସୁନ୍ଦର ଥିଲା ଓ ଏହା ପ୍ରଗାଢ଼ ଥିଲା କାରଣ ମାନବଜାତିର ପାପକୁ ଦଣ୍ଡିତ କରିବା ନିମନ୍ତେ ପରମେଶ୍ୱର ଆପଣା ସୃଷ୍ଟିକୁ ନଷ୍ଟ କରନ୍ତି। ତାହା ଏକ ଅନ୍ଧକାର, ଅନ୍ଧକାର କ୍ଷଣ ଥିଲା। ଗୋଟିଏ ଚିତ୍ର ଅଛି ଯାହା ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହୁଁଥିଲି, କିନ୍ତୁ ଏହା ସମ୍ପୂର୍ଣ୍ଣ ଅନ୍ଧକାରମୟ ଥିଲା। ମୁଁ ଦେଖାଇବାରେ ସୁଖଦ ଅନୁଭବ କରୁ ନ ଥିଲି। ଗୋଟିଏ ଫ୍ରେଞ୍ଚ ଚିତ୍ରକାର ଅଛନ୍ତି ଓ ମୁଁ ତାହାଙ୍କ ନାମ ଠିକ୍ ରୂପରେ ପ୍ରକାଶ କରିବାକୁ ଚାହେଁ ନାହିଁ, ସେ ଗୁଷ୍ଟାଭ୍ ଡ଼ୋରେ, ଯିଏ “ଦ ଡେଲୁଜ୍” ନାମକ ଏକ ଚିତ୍ର ବନାଇଥିଲେ। ଆପଣ ଏହି ଚିତ୍ରର ଯେଉଁ ପାର୍ଶ୍ୱକୁ ଦେଖିବେ, ତାହା ଜଳରେ ପୂର୍ଣ୍ଣ ଅଟେ ଓ ଏହା ମଧ୍ୟରେ ସବୁଠାରୁ ଏକ ଉଚ୍ଚ ପାହାଡ଼ ଅଛି, ପୃଥିବୀର କେବଳ ଏକମାତ୍ର ଅଂଶ ଅଟେ, ଯାହା ଜଳରେ ଘେରି ରହିଅଛି, କିନ୍ତୁ ତାହା ଜଳରେ ସମ୍ପୂର୍ଣ୍ଣ ଭାବରେ ଡ଼ୁବି ରହି ନ ଥିଲା ଓ ସେହି ପାହାଡ଼ ଉପରେ ତିନୋଟି ପିଲା ଓ ଗୋଟିଏ ବୃହତ ବାଘ ସଙ୍ଗରେ ଛିଡ଼ା ହୋଇଅଛନ୍ତି। ଆକାଶରେ ଡ଼ାମରା କାଉ ଉଡ଼ୁଅଛନ୍ତି, ଓ ଜଳ ଉପରେ ମୃତ ଶରୀର ପଡ଼ିଅଛି ଓ ବଡ଼ ପଥରର ସମ୍ମୁଖରେ ଗୋଟିଏ ସ୍ୱାମୀ ଓ ସ୍ତ୍ରୀ ଆପଣା ଜୀବନକୁ ବିପଦରେ ପକାଇ ଆପଣା ଚତୁର୍ଥ ଶିଶୁକୁ ବଞ୍ଚାଇବା ନିମନ୍ତେ ଜଳ ଉପରୁ ଉଠାଇ ପାହାଡ଼ ଉପରକୁ ପେଲିବାକୁ ଚେଷ୍ଟା କରୁଅଛନ୍ତି। ଆପଣ ଦେଖି ପାରନ୍ତି ମୁଁ କାହିଁକି ଆପଣଙ୍କୁ ଦେଖାଇ ପାରିଲି ନାହିଁ। ତାହା ହିଁ ପ୍ଲାବନର ସନ୍ଦେଶ ଅଟେ। ତାହା ଆଜି ପର୍ଯ୍ୟନ୍ତ ଜଗତର ଇତିହାସର ଏକ ଅନ୍ଧକାରମୟ କ୍ଷଣ ଅଟେ। ଏହା ଏକ ଆର୍-ରେଟେଡ଼୍ ଚଳଚ୍ଚିତ୍ର, ହୁଏତ ଏକ୍ସ-ରେଟେଡ଼୍ ଚଳଚ୍ଚିତ୍ର ଅଟେ। ବାସ୍ତବରେ ସମ୍ପୂର୍ଣ୍ଣ ବାଇବଲରେ କେବଳ କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ଅନ୍ଧକାର ହୋଇଥିବା ସମୟ ବିଷୟରେ ମୁଁ ଜାଣେ। କାରଣ, ଦେଖନ୍ତୁ, ପ୍ଲାବନ ଓ କ୍ରୁଶ ଉଭୟେ ସମାନ କାର୍ଯ୍ୟ କରୁଅଛନ୍ତି, ତାହା ନୁହେଁ କି? କ୍ରୁଶ ଓ ପ୍ଲାବନ ଉଭୟ ମାନବ ଇତିହାସରେ ପ୍ରସିଦ୍ଧ ଘଟଣା ଅଟେ, ଯେଉଁଠାରେ ପରମେଶ୍ୱର ପାପର ନ୍ୟାୟ କରନ୍ତି। ସେ ପ୍ଲାବନ ଦ୍ୱାରା ପାପର ନ୍ୟାୟ କରନ୍ତି ଓ ସେ କ୍ରୁଶ ଉପରେ ନ୍ୟାୟ କରନ୍ତି। ପାପ ସବୁବେଳେ ଏକ ବଡ଼ ବିଷୟ ଅଟେ। ଏହା ସବୁବେଳେ ବିନାଶକାରୀ ଅଟେ, ଏହା ସବୁବେଳେ ଦଣ୍ଡିତ ହୋଇଥାଏ। ଆମ୍ଭେମାନେ ଏହାକୁ ନଗଣ୍ୟ ଭାବରେ ନେବା ଉଚିତ୍ ନୁହେଁ। ପବିତ୍ରତା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଅଟେ। ତାହା ପ୍ଲାବନର ପ୍ରଥମ ଭାଗର ସନ୍ଦେଶ ଅଟେ। ଏହା ପିଲାମାନଙ୍କ କାହାଣୀ ନୁହେଁ। ଖେଦିତ ପରମେଶ୍ୱରଙ୍କ ଓ ପାପ ପ୍ରତି ତାହାଙ୍କ ଘୃଣାର ଅନ୍ଧକାରମୟ କାହାଣୀ ଅଟେ।

୩. ମୁକ୍ତିଦାତା ରୂପରେ ପରମେଶ୍ୱର

ବର୍ତ୍ତମାନ, ଆପଣ କ’ଣ ଏହା ଶୁଣିବା ପାଇଁ ସକାଳ ସମୟରେ ଏଠାକୁ ଆସିବାରେ ଆନନ୍ଦିତ ନୁହନ୍ତି କି? ଆଦି ପୁସ୍ତକ ୩ ପର୍ବରେ ଏଦନ ଉଦ୍ୟାନ ମଧ୍ୟ ଏକ ଅନ୍ଧକାରମୟ ସମୟ ଥିଲା, ଏହା ନ ଥିଲା କି? ବଳିଦାନ, ଚରମ ଓ ଉଦ୍ୟାନରୁ ତଡ଼ି ଦିଆ ଯିବା ସଙ୍ଗେ ଏଠାରେ ଯାହା ହେଉଅଛି ତାହା ସବୁ କ’ଣ ସମାନ ବିଷୟ ନୁହେଁ? ପରମେଶ୍ୱର ଆପଣାକୁ ମୁକ୍ତିଦାତା ରୂପରେ ପ୍ରକାଶ କରୁଅଛନ୍ତି।

କ. ନୋହଙ୍କୁ ସାକ୍ଷାତ କରନ୍ତୁ

୮ ପଦକୁ ଦେଖନ୍ତୁ, “ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ଵରଙ୍କ ସହିତ ଗମନାଗମନ କଲେ।” କାହାଣୀରେ ନୋହ ସୃଷ୍ଟିର ଅନ୍ୟ ସମସ୍ତଙ୍କଠାରୁ ପୂରାପୂରି ବିପରୀତ ଅଟନ୍ତି। କ’ଣ ଆପଣ ଆଦି ପୁସ୍ତକ ୩:୧୫ ର ଭାଷାକୁ ଧ୍ୟାନ ଦିଅନ୍ତି, ଯେଉଁଠାରେ ଶୟତାନ, ଅର୍ଥାତ୍ ସର୍ପର ବଂଶ ଓ ନାରୀର ବଂଶ, ମୁକ୍ତି ପାଇ ନ ଥିବା ଲୋକ ଓ ମୁକ୍ତି ପ୍ରାପ୍ତ ଲୋକ, ଅର୍ଥାତ୍ ଅଧାର୍ମିକ ଓ ଧାର୍ମିକ ଲୋକମାନେ ପରସ୍ପର ଆଘାତ କରିବେ? ଏହି କାହାଣୀର ଗୋଟିଏ ପାର୍ଶ୍ୱରେ ନାରୀଙ୍କ ସନ୍ତାନ ଅର୍ଥାତ୍ ନୋହ, ଓ ଶୟତାନର ସନ୍ତାନ ଅର୍ଥାତ୍ ଏହି ଅଧାର୍ମିକ ଜଗତର ଅନ୍ୟ ସମସ୍ତଙ୍କ ମଧ୍ୟରେ ଏକ ସଂଘର୍ଷ ଦେଖିବାକୁ ମିଳେ। ଆମ୍ଭେମାନେ ନୋହଙ୍କୁ ସମ୍ପୂର୍ଣ୍ଣ ହୃଦୟରେ ପରମେଶ୍ୱରଙ୍କ ଅନୁଗମନ କରୁଥିବା ଦେଖୁ, ସମ୍ପୂର୍ଣ୍ଣ ହୃଦୟରେ ଧାର୍ମିକତାର ଅନ୍ୱେଷଣ କରିଥିବା ଦେଖୁ। ଆଉ, ମୋଶା ମଧ୍ୟ ନୋହଙ୍କୁ ଥରେ ଏକ ପାତ୍ର ରୁପରେ ପରିଚିତ କରିଅଛନ୍ତି, ତାହା ପରେ ଆମ୍ଭେମାନେ ୧୪ ପଦରେ କାହାଣୀକୁ ଆଗେଇ ନେଇ ପାରୁ। ଆଦି ପୁସ୍ତକ ୬:୧୪ ରେ ପରମେଶ୍ୱର ନୋହଙ୍କୁ କହିଲେ, “ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ଵାରା ଲେପନ କର। ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନିଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ। ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ଵରେ ଦ୍ଵାର ରଖିବ; ଆଉ ତହିଁର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ତଳ ବନାଇବ। ପୁଣି ଆକାଶତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା,” ଏବଂ ଆପଣ ଆଦି ପୁସ୍ତକ ୧ ଓ ୨ ପର୍ବର ଭାଷା ନିମ୍ନ ବାକ୍ୟାଂଶରେ ଶୁଣି ପାରିବେ, “ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ, କରିବେ। ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା।” ଏଠାରେ ପରିତ୍ରାଣକୁ ଦେଖନ୍ତୁ। “‘ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ପୁଣି ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ। ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।’ ତହିଁରେ ନୋହ ସେରୂପ କଲେ; ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।” ପାପର ଦଣ୍ଡ ଦେବା ମଧ୍ୟରେ, ପରମେଶ୍ୱର ଆପଣାକୁ ନୋହ, ଅର୍ଥାତ୍ ଜଣେ ଧାର୍ମିକ ଲୋକଙ୍କ ମୁକ୍ତି ଦାତା ରୂପରେ ପ୍ରକାଶ କରନ୍ତି। ଆଉ ମୁକ୍ତିଦାତା ପରମେଶ୍ୱର, ଯେପରି ନୋହଙ୍କୁ ଉଦ୍ଧାର କରନ୍ତି, ସେ ଧାର୍ମିକ ନୋହଙ୍କୁ ଆସୁ ଥିବା ଜଳ ପ୍ଲାବନ ବିଷୟରେ କହନ୍ତି। ପରମେଶ୍ୱର, ଜାହାଜ ବନାଇବା ବିଷୟରେ ଯୋଜନା ପ୍ରଦାନ କରନ୍ତି।

ପରେ ୭ ପର୍ବରେ ସେ ପଶୁଗଣଙ୍କୁ ପଠାଇବା ଆମ୍ଭେମାନେ ଦେଖିବା ତାପରେପର୍ବର ୧୬ ପଦରେ ପରମେଶ୍ୱର ଜାହାଜର ଦ୍ୱାର ରୁଦ୍ଧ କରିବାର ଏକ ସଂକ୍ଷୀପ୍ତ ବିବରଣ ପରି ଜଣାପଡ଼େ, କିନ୍ତୁ ତାହାର ଧର୍ମତତ୍ତ୍ୱ ବିଷୟକ ମହତ୍ୱ ଅତ୍ୟଧିକ ଅଟେ। କେବଳ ପରମେଶ୍ୱର ମୁକ୍ତିଦାତା ଅଟନ୍ତି ଓ ଯାହା କେବଳ ପରମେଶ୍ୱର କରି ପାରିବେ, ସେ ତାହା କରୁଅଛନ୍ତି। ପରମେଶ୍ୱର ମୁକ୍ତିଦାତା ଅଟନ୍ତି ଓ ସେ ଜଳପ୍ଳାବନର ନିୟନ୍ତ୍ରଣକୁ ହରାନ୍ତି ନାହିଁ। ତାହା ସେ ପର୍ବତ ଉପରୁ କହନ୍ତି ଓ ଯେତେବେଳେ ତାହାଙ୍କ ଇଚ୍ଛା ସାଧନ ହୁଏ, ତେବେ ସେ ତାହା ବନ୍ଦ ହେବା ପାଇଁ କହନ୍ତି। ଏବଂ ଏହି ସବୁକିଛି ସମାପ୍ତ ହେଲା ଉତ୍ତାରେ, ପରମେଶ୍ୱର ନୋହଙ୍କ ବଳିଦାନକୁ ସ୍ୱୀକାର କରିବାକୁ ଯାଉଅଛନ୍ତି। ଏପରିକି ପାପ ଓ ପାପର ପରିଣାମସବୁ ମଧ୍ୟରେ, ପରମେଶ୍ୱର ଧାର୍ମିକ ଲୋକମାନଙ୍କୁ ମୁକ୍ତି ପ୍ରଦାନ କରିବାରେ କାର୍ଯ୍ୟରତ ଅଟନ୍ତି। ଏହି ଦୁଇଟି ବିଷୟ ଜଳପ୍ଳାବନର କାହାଣୀରେ ପରସ୍ପର ମିଳିମିଶି ରହିଅଛି।  ଏଦନ ଉଦ୍ୟାନ, ଜାହାଜ ଓ କ୍ରୁଶ ମଧ୍ୟରେ ସାମାନ୍ୟ ବିଷୟ କ‘ଣ ଅଟେ? ଏହି ତିନୋଟି ସ୍ଥାନ ପାପର ନ୍ୟାୟ ହୋଇଥିବା ସ୍ଥାନ ଅଟେ, ଓ ଧାର୍ମିକମାନଙ୍କ ନିମନ୍ତେ ପରିତ୍ରାଣର ସ୍ଥାନ ଅଟେ। ଅର୍ଥାତ୍ ଏପରିକି ପରମେଶ୍ୱର ଆମ୍ଭମାନଙ୍କ ପାପ ହେତୁ ଦଣ୍ଡ ଦେଉଥିବା ସମୟରେ ମଧ୍ୟ, ସେ ଆମ୍ଭମାନଙ୍କ ମୁକ୍ତିଦାତା ଅଟନ୍ତି। ତାହା ଜଳପ୍ଳାବନର ମୁଖ୍ୟ ବାର୍ତ୍ତା ଅଟେ।

ଖ. ଏଦନ ଉଦ୍ୟାନ, ଜାହାଜ ଓ କ୍ରୁଶ ମଧ୍ୟରେ ସାମାନ୍ୟ ବିଷୟ କ‘ଣ ଅଟେ?

ଆପଣ କ’ଣ ପାପ ମଧ୍ୟରେ ଅଛନ୍ତି କି? ଆପଣ କ’ଣ ଆପଣା ଅତୀତ ପାପର ପରିଣାମସବୁ ମଧ୍ୟରେ ଅଛନ୍ତି କିଅବା, ଏହି କାହାଣୀକୁ ବଢ଼ାଇ କହିଲେ, ଆପଣ କ’ଣ ସେହି ଜଳପ୍ଳାବନର ଜଳ ଆପଣା ମସ୍ତକ ଉପରେ ଥିବା ଅନୁଭବ କରନ୍ତି? ତେବେ ଜଳ ପ୍ଳାବନର ବାର୍ତ୍ତା ଅନୁସାରେ, ପରମେଶ୍ୱର ଯେ କେବଳ ପାପର ବିଚାରକର୍ତ୍ତା ତାହା ନୁହେଁ, ମାତ୍ର ପାପ ମଧ୍ୟରେ ସେ ପରିତ୍ରାଣ ପ୍ରଦାନ କରିବା ପରମେଶ୍ୱର ମଧ୍ୟ ଅଟନ୍ତି। ଆଉ ଯେପରି ସେ ଆଦମ ଓ ହବାଙ୍କୁ ପରିତ୍ରାଣ ଦେଲେ, ଓ ଯେପରି ସେ ନୋହ ଓ ତାହାଙ୍କ ପରିବାରକୁ ମୁକ୍ତି ପ୍ରଦାନ କଲେ, ସେହିପରି ସେ ଆପଣମାନଙ୍କୁ ମଧ୍ୟ ମୁକ୍ତି ପ୍ରଦାନ କରିବେ। ସେ ଏହି କାର୍ଯ୍ୟ କ୍ରୁଶ ଉପରେ କରିଅଛନ୍ତି, ଓ ସେ ବର୍ତ୍ତମାନ ଆପଣମାନଙ୍କ ନିମନ୍ତେ କରିବେ। ପରମେଶ୍ୱର ଯେ ନ୍ୟାୟ ମଧ୍ୟରେ ତ୍ରାଣକର୍ତ୍ତା ଅଟନ୍ତି, ଏହା ଜଳ ପ୍ଲାବନର ବାର୍ତ୍ତା ଅଟେ।

୪. ନୋହ ଜଣେ ବିଶ୍ୱାସୀ ବ୍ୟକ୍ତି ଅଟନ୍ତି।

ଜଳପ୍ଳାବନ କାହାଣୀରେ ନୋହଙ୍କ ଚରିତ୍ର ଅନ୍ୟ ଏକ ଆକର୍ଷଣୀୟର ବିଷୟ ଅଟେ। ସେ ଜଣେ ବିଶ୍ୱାସୀ ବ୍ୟକ୍ତି ଅଟନ୍ତି। ବର୍ତ୍ତମାନ, ଆଦିପୁସ୍ତକର ଅନୁଚ୍ଛେଦରେ ବିଶ୍ୱାସ ଶବ୍ଦ ସ୍ପଷ୍ଟ ରୂପରେ ବ୍ୟବହାର ହୋଇ ନାହିଁ। ଏହା ନୋହଙ୍କ ଧାର୍ମିକ ଜୀବନ ଓ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିବା ବିଷୟରେ କହେ। କିନ୍ତୁ ଯେପରି ଆପଣ ଜାଣନ୍ତି, ଯେତେବେଳେ ଆପଣ ନୂତନ ନିୟମର ଏବ୍ରୀ ପୁସ୍ତକ ୧୧ ପର୍ବକୁ ପଢନ୍ତି, ତେବେ ଯାହା ଆଦି ପୁସ୍ତକରେ ବ୍ୟକ୍ତ କରାଯାଇ ନାହିଁ, ତାହା ଏବ୍ରୀ ପୁସ୍ତକରେ ସ୍ପଷ୍ଟ ଅଟେ। ଏବ୍ରୀ ପୁସ୍ତକରେ ଲେଖକ ୧୧:୧ ରେ ଆରମ୍ଭ କରି କହନ୍ତି, “ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।” ବର୍ତ୍ତମାନ, ଯଦି ତାହା ନୋହ ନୁହଁନ୍ତି, ତେବେ ମୁଁ ଜାଣେ ନାହିଁ ସେ କିଏ। ମୋ କହିବାର ଅର୍ଥ, ପରମେଶ୍ୱର ତାହାଙ୍କୁ କହନ୍ତି, ଜଳପ୍ଳାବନ ହେବ, ତେଣୁ ଏକ ଜାହାଜ ନିର୍ମାଣ କର, ପୁଣି ନୋହ ତାହା ବିଶ୍ୱାସ କରନ୍ତି। ବାସ୍ତବରେ, ୬ ପଦରେ, “ଆଉ ବିଶ୍ଵାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ” ଏବଂ ୭ ପଦରେ, “ବିଶ୍ଵାସ ଦ୍ଵାରା ନୋହ ସେସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ଵନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି ସେହି ବିଶ୍ଵାସ ଦ୍ଵାରା ସେ ଜଗତକୁ ଦୋଷୀ କରି ବିଶ୍ଵାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।” ଅତଏବ, ନୋହ ଜଣେ ବିଶ୍ୱାସୀ ବ୍ୟକ୍ତି ଥିଲେ। ୨ ପିତର ୨:୫ କହେ ଯେ ସେ ଜଣେ “ଧର୍ମପ୍ରଚାରକ” ଥିଲେ।

କ. ଜଳପ୍ଳାବନର କାହାଣୀ

ଆପଣ କ’ଣ କେବେ ଚିନ୍ତା କରିଅଛନ୍ତି ଯେ ନୋହଙ୍କ ବିଶ୍ୱାସ କେତେ ଅଦ୍ଭୁତ ଅଟେ? ନୋହଙ୍କ ସ୍ଥାନରେ ଆପଣଙ୍କୁ ରଖନ୍ତୁ। ଆଉ ମୁଁ କେତୋଟି ବାକ୍ୟାଂଶ ଏଠାରେ ପଢ଼ିବାକୁ ଯାଉଅଛି। କିନ୍ତୁ ପରମେଶ୍ୱର ନୋହଙ୍କ ନିକଟକୁ ଆସି କହନ୍ତି, “ନୋହ, ମୁଁ ଗୋଟିଏ ଜଳପ୍ଳାବନ ପଠାଇବି।” ମୁଁ ଜାଣେ ନାହିଁ ଯେ ନୋହ କିପରି ପ୍ରତ୍ୟୁତ୍ତର ଦେଇଥିବେ, ସମ୍ଭବତଃ ସେ କହିଲେ, “କ’ଣ? ତାହା କ’ଣ ଅଟେ?” ମୋ କହିବାର ଅର୍ଥ, ନୋହଙ୍କ ସମୟରେ ଏପରି କିଛି ହେବାର କୌଣସି ସଂକେତ ନ ଥିଲା। “ଯାହା ହେଉ, ଜଳପ୍ଳାବନ, ଅସୀମିତ ଜଳ ଅଟେ। ତେଣୁ ମୁଁ ଚାହେଁ ଯେ ତୁମେ ଗୋଟିଏ ଜାହାଜ ନିର୍ମାଣ କର।” “ପରମେଶ୍ୱର ତାହା କ’ଣ ଅଟେ?” “ଏହା ଏକ ଲମ୍ବା ପତଳା ଭାସମାନ ମାଲ ଡଙ୍ଗା ପରି ଅଟେ।” “କିନ୍ତୁ, ପରମେଶ୍ୱର କେତେ ତାହା ଲମ୍ବା?” “ତାହା, ଫୁଟବଲ ଖେଲିବା ଭୂମି ପରି ଦେଢ଼ ଭୂମି ଦୀର୍ଘ (୩୦୦ ହାତ),” “ଏବଂ ୨୫ ଗଜ ପ୍ରସ୍ଥ। ମୁଁ ଚାହୁଁଛି ଯେ ତୁମେ ତାହାକୁ ୧୫ ଫୁଟ୍ ଉଚ୍ଚ ଛାତର ତିନି ସ୍ତର କରି ନିର୍ମାଣ କର।” ମୁଁ ଚାହେଁ ଯେ ତୁମେ ଏପରି ଲମ୍ବା ପତଳା ଭଲି ଏକ ଜାହାଜ ନିର୍ମାଣ କର ଯାହା ପଶୁଗଣରେ ପୂରଣ ହେବା ପାଇଁ ସାତ ଦିନ ଲାଗିବ।” “ହଁ ଠିକ୍ ଅଛି ପରମେଶ୍ୱର,” ନୋହ ଏହିପରି ପ୍ରତ୍ୟୁତ୍ତର ଦେଇଥାଇ ପାରନ୍ତି, “ମୁଁ କିପରି ତାହା କରିବି?” ପରମେଶ୍ୱର କହନ୍ତି, ତାହା ତୁମେ କରିବ ନାହିଁ, ସେଠାରେ ନୌତଳ ନାହିଁ, ଗତି ନିୟନ୍ତ୍ରକ ଯନ୍ତ୍ର ନାହିଁ, ଜାହାଜର ପାଲ ନାହିଁ। ତୁମ ଉପରେ ମୋ ଅନୁଗ୍ରହ ବର୍ତ୍ତିବ, ନୋହହୋ... ନୋହ ଯାହାବି ହେଉ,” ପରମେଶ୍ୱର କହନ୍ତି, “ଯେତେବେଳେ ଏହି ବୃହତ ଭାସମାନ ଜାହାଜର ନିର୍ମାଣ ସମାପ୍ତ କର, ତେବେ ଗୋଟିଏ ବର୍ଷ ପାଇଁ ତୁମ ନିମନ୍ତେ ଓ ପଶୁଗଣଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ଜାହାଜରେ ନିଅ।” ଆପଣ ଚିନ୍ତା କରି ପାରିବେ ଯେ ନୋହ, ସମ୍ଭବତଃ, ପ୍ରଥମେ କିପରି ଅନୁଭବ କରିଥିବେ। ଆପଣ ନିଶ୍ଚିତ ରୂପରେ ଚିନ୍ତା କରି ପାରିବେ ଯେ ନୋହଙ୍କ ପଡ଼ୋଶୀ କିପରି ଅନୁଭବ କରିଥିବେ। ଆମ୍ଭେମାନେ ଜାଣି ନାହୁଁ ଏହି ଜାହାଜକୁ ନିର୍ମାଣ କରିବା ନିମନ୍ତେ କେତେ ସମୟ ଲାଗିଥିଲା। ସମ୍ଭବତଃ ଏହା ପ୍ରାୟ ୧୦୦ ବର୍ଷ ଲାଗିଥିବ ଓ ଆପଣ ଚିନ୍ତା କରି ପାରିବେ ସେ କିପରି ଥଟ୍ଟା ଅନୁଭବ କରିଥିବେ। “ଆମ ଘର ପାର୍ଶ୍ୱସ୍ଥ ପଡୋଶୀଙ୍କୁ କ’ଣ ହେଲା? ସେ ଦୃଶ୍ୟକୁ ଅବରୁଦ୍ଧ କରୁଅଛି, ମୁଁ ଆରାରାଟ୍ ପର୍ବତକୁ ଦେଖି ପାରୁ ନାହିଁ। ଏଠାରେ ସଙ୍କେତାବଳୀ ଲଗାଇବା ଆବଶ୍ୟକ, ଏହି ବିଷୟରେ ଆମ୍ଭମାନଙ୍କୁ କିଛି କରିବାକୁ ହେବ।” ଆପଣ କ’ଣ ଚିନ୍ତା କରି ପାରିବେ, ଯଦି ପରମେଶ୍ୱର ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଗାଡ଼ି ରଖିବା ସ୍ଥାନରେ ଜାହାଜ ନିର୍ମାଣ କରିବା ପାଇଁ କହିଥାନ୍ତେ? ମୁଁ କାଲି ରାତ୍ରିରେ ତାହାକୁ ଅଳ୍ପ ମାତ୍ରାରେ ବନ୍ଦ କଲି। ଏହା ପିଚୁର ଏହି ପାର୍ଶ୍ୱରୁ ଯାଇ ଘାସର ମଧ୍ୟବର୍ତ୍ତୀ ସ୍ଥାନ ପର୍ଯ୍ୟନ୍ତ, ଏତିକି ପ୍ରସ୍ଥ ହେବ। ଆଉ ମୁଁ ଚିନ୍ତା କରେ ଯେ ଆମ ଭୂମିର ଅଧିକାଂଶ ଦୀର୍ଘ ଅଂଶ ଚାଲିଯିବ। କ’ଣ ଆପଣ ଚିନ୍ତା କରି ପାରିବେ, ଯଦି ପରମେଶ୍ୱର ଆମ୍ଭମାନଙ୍କୁ ଆମ ପଛ ପାଖରେ ତିନି ମହଲା ଭାସମାନ ବୃହତ ନୌକା ନିର୍ମାଣ କରିବାକୁ କହନ୍ତି? ଆମ ପଡ଼ୋଶୀ କ’ଣ ଭାବିବେ? ଆପଣ କ’ଣ ଭାବନ୍ତି ଯେ ଆମ୍ଭେମାନେ ନଗରରୁ ଅନୁମତି ପାଇବା? ତାହା ମିଳିବା ସମ୍ଭବ ନୁହେଁ। କିନ୍ତୁ ନୋହଙ୍କ ପ୍ରତ୍ୟୁତ୍ତରକୁ ଦେଖନ୍ତୁ। ତାହାଙ୍କ ପ୍ରତ୍ୟୁତ୍ତରକୁ ଦେଖନ୍ତୁ। ୬:୨୨ ପଦ ଅନୁସାରେ, ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ଓ ଆଜ୍ଞା ପାଳନ କରନ୍ତି, “ନୋହ ସେରୂପ କଲେ; ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।” ୭:୫ ପଦ, “ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।” ଆଉ ଏହି ବାକ୍ୟ ଦୁଇ ଥର ଇତିହାସରେ ପୁନରାବୃତ୍ତି କରାଯାଇଅଛି। ତାହା ଏବ୍ରୀ ୧୧ ଅଧ୍ୟାୟର ବିଶ୍ୱାସ ଅଟେ। ବିଶ୍ୱାସ, ଯାହା ଦେଖା ଯାଏ ନାହିଁ ତାହା ଦେଖିପାରେ ଓ ପରମେଶ୍ୱରଙ୍କ ବାକ୍ୟ ଶୁଣି ଆଜ୍ଞାନୁସାରେ କରେ। ତାହା ବିଶ୍ୱାସ ଅଟେ, କ’ଣ ଏହା ନୁହେଁ କି? ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ଯଦି ପରମେଶ୍ୱର ଆମ୍ଭମାନଙ୍କୁ ଜାହାଜ ନିର୍ମାଣ କରିବା ଭଲି ଏକ ନିର୍ବୋଧ କାର୍ଯ୍ୟ କରିବାକୁ କହନ୍ତି, ତେବେ ଆମ୍ଭେମାନେ କିପରି ପ୍ରତ୍ୟୁତ୍ତର ଦେବା।

ଠିକ୍ ଅଛି, ନୋହ ଜାହାଜ ନିର୍ମାଣ କଲେ ଏବଂ ୭:୧୧ ପଦ ଆରମ୍ଭରେ ମୋଶା ଜଳପ୍ଳାବନର ଘଟଣା ବିଷୟରେ କହନ୍ତି। ବାସ୍ତବରେ, ଏହି ଜଳପ୍ଳାବନ ପ୍ରାୟ ଏକ ବର୍ଷ ଦଶ ଦିନ ପର୍ଯ୍ୟନ୍ତ ରହିଥିଲା। ଏବଂ ସେଠାରେ ଏକ ଜଳପ୍ଳାବନର ଚିତ୍ର ଅଛି ଯାହାକୁ ମୁଁ ଆପଣମାନଙ୍କୁ ଦେଖାଇବି। ଏହା କ୍ୱେକର୍‌ର ଚିତ୍ରକାର ଏଡ଼୍‌ୱାଡ଼୍ ହିକ୍ସଙ୍କଠାରୁ ଅଟେ। ଏହା ମୋ ଅଧିକ ପ୍ରିୟ ଚିତ୍ରମାନଙ୍କ ମଧ୍ୟରୁ ଏକ ଅଟେ, କିନ୍ତୁ, ଦୁର୍ଭାଗ୍ୟବଶତଃ, ତାହା ବାମ ହାତ ଉପର କୋଣରେ, ଅର୍ଥାତ୍ ଯେଉଁଠାରେ ମୁଁ ଚିତ୍ରଗୁଡ଼ିକୁ ଲଗାଇ ଅଛି, ସେଠାରେ ପକ୍ଷୀମାନେ ଉଡ଼ୁଅଛନ୍ତି, ଓ ମୋ ମତରେ ଏହା ଏକ ଅତି ପ୍ରଭାବଶାଳୀ ଚିତ୍ର ଅଟେ। ଯେତେବେଳେ ମୁଁ ଏହା ପ୍ରଥମ ଥର ଦେଖିଲି, ମୁଁ ପ୍ରାୟ ଶ୍ୱାସହୀନ ହୋଇଥିଲି, କାରଣ ସେଠାରେ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଥିବା ସେହି ସମସ୍ତ ପଶୁଗଣ ଅଛନ୍ତି ଓ ସେମାନେ ଶାନ୍ତିପୂର୍ଣ୍ଣ ଅଟନ୍ତି। ସେମାନେ ଧାଡ଼ିରେ ଅଛନ୍ତି ଓ ଜାହାଜକୁ ଯାଉଅଛନ୍ତି। ଆଉ ଚିତ୍ରର ବର୍ଣ୍ଣନାର ଶେଷ ବାକ୍ୟ ଏପରି ଲେଖାଯାଇଥିଲା। “ଗାରିମାପୂର୍ଣ୍ଣ ବୃଦ୍ଧ ସିଂହ ସିଧା ଦର୍ଶକଙ୍କୁ ଦେଖିବା, ପରମେଶ୍ୱରଙ୍କ ନଷ୍ଟ କରିବା ଓ ମୁକ୍ତି ଦେବା ଶକ୍ତିର ଶିକ୍ଷା ଉପରେ କେନ୍ଦ୍ରିତ ଅଟେ।”

ତେଣୁ ଯେତେବେଳେ ନୋହଙ୍କ ମୁଣ୍ଡରେ ବୃଷ୍ଟି ହେବାକୁ ଲାଗିଲା, ନୋହ ଜାହାଜକୁ ପ୍ରବେଶ କଲେ। ଧ୍ୟାନ ଦିଅନ୍ତୁ ସେ ୬୦୦ ବର୍ଷ ବୟସ୍କ ଥିଲେ। ଏହା ଦ୍ୱିତୀୟ ମାସର ୧୭ ତମ ଦିବସ ଥିଲା। ୨-୧୭, ସ୍ମରଣାର୍ଥେ ଏକ ମହାନ ଦିବସ ଅଟେ, ଫେବୃୟାରୀ ୧୭ ମୋ ଜନ୍ମ ଦିନ ଅଟେ। ତେଣୁ ଯେତେବେଳେ ଜଳପ୍ଳାବନ ଆରମ୍ଭ ହେଲା, ସେତେବେଳେ ନୋହଙ୍କ ବୟସ କେତେ ଥିଲା, ତାହା ମୁଁ ସ୍ମରଣ କରିପାରେ। ଜଳ ଭୂଗର୍ଭସ୍ଥ ଜଳାକାର ଭାଙ୍ଗି ଉପରକୁ ଆସିଲା, ପୁଣି ଆକାଶସ୍ଥ ଦ୍ଵାର ସବୁ ମୁକ୍ତ ହେଲା, ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା। ଆଉ ଜଳ କ୍ରମଶଃ ପ୍ରବଳ ହୋଇ ଅତିଶୟ ବଢ଼ିବାକୁ ଲାଗିଲା ଯାହା ଡ଼ୋରେଙ୍କ ଚିତ୍ରରେ ଦର୍ଶାଯାଇ ନାହିଁ, କାରଣ ତାହା ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା। ତା’ପରେ ଆମ୍ଭେମାନେ ୭:୨୧-୨୩ ପଦରେ ପଢ଼ୁ ଯେ ଏହି ପ୍ଳାବନ ଦ୍ୱାରା ପରମେଶ୍ୱରଙ୍କ ଯୋଜନା ସଫଳ ହେଲା, “ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସେସମସ୍ତେ ମଲେ, ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀକୁ ସେ (ଅର୍ଥ ପରମେଶ୍ୱର) ଲୁପ୍ତ କଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ।” ପାପ ସବୁବେଳେ ଦଣ୍ଡିତ ହୋଇଅଛି, ଏହା ନୁହେଁ କି? ପାପ ସବୁବେଳେ ଭୟାନକ ଅଟେ।

ଖ. ଜଳପ୍ଳାବନ ପରେ ପୁନଃ ସୃଷ୍ଟି ଜଗତ

ପୃଥିବୀରୁ ଜଳ ହ୍ରାସ ହେବାରେ ପ୍ରାୟ ପାଞ୍ଚ ମାସ ଅର୍ଥାତ୍ ୧୫୦ ଦିନ ଲାଗିଥିଲା। ୧୫୦ ଦିନ ପରେ ଜାହାଜ ଆରାରାଟ୍ ପର୍ବତ ଉପରେ ଲାଗି ରହିଲା। ଏହା ଉତ୍ତର-ପୂର୍ବ ଆଧୁନିକ ତୁର୍କୀ, ଦକ୍ଷିଣୀ ରୁଷିଆ, ଉତ୍ତର-ପଶ୍ଚିମ୍ ଇରାନ ଅଟେ। ଜଳ ହ୍ରାସ ହେବାକୁ ଲାଗିଲା ଓ ନୋହ ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ଅପେକ୍ଷା କରି ଡାମରା କାଉକୁ ଉଡ଼ାଇ ଦେଲେ; କିନ୍ତୁ ସେ କେବେ ଫେରି ନ ଥିଲା, ପରେ ସେ ଗୋଟିଏ କାପ୍ତାକୁ ଉଡ଼ାଇଲେ, କିନ୍ତୁ ସେ ଡାମରା କାଉ ସମାନ ସବଳ ନ ଥିବାରୁ, ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ଆଉ ସାତ ଦିନ ବିଳମ୍ଵ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇଲେ; ତହିଁରେ କାପ୍ତା ଆପଣା ଚଞ୍ଚୁରେ ଜୀତ ବୃକ୍ଷର ନବୀନ ପଲ୍ଲବ ନେଇ ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା। ଜୀତ ବୃକ୍ଷ ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବୃଦ୍ଧି ପାଇପାରେ ନାହିଁ, ତାହା ସମୁଦ୍ର ପତ୍ତନଠାରୁ ନିମ୍ନରେ ବୃଦ୍ଧି ପାଇଥାଏ, ତେଣୁ ଏହା ନିମ୍ନଭୂମିରେ ମଧ୍ୟ ଜଳ ହ୍ରାସ ହୋଇଥିବାର ଏକ ସଂକେତ ଅଟେ। ନୋହ କିଛି ଦିନ ଅପେକ୍ଷା କଲେ, ଆଉ କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇଲେ, ସେ ଆଉ ବାହୁଡ଼ି ଆସି ନ ଥିଲା, ତଥାପି ପରମେଶ୍ୱର ଯେପର୍ଯ୍ୟନ୍ତ ଜାହାଜରୁ ବାହାରିବା ପାଇଁ କହିଲେ ନାହିଁ, ସେ ଅପେକ୍ଷା କଲେ। ୮:୧୪ ରେ ଲେଖାଯାଏ,  “ଏହିରୂପେ ଦ୍ଵିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା।” ବୃଷ୍ଟି ଆରମ୍ଭ ହେବାଠାରୁ ଏହି ଦିନ ପର୍ଯ୍ୟନ୍ତ ଏକ ବର୍ଷ ଦଶ ଦିନ ଅଟେ। “ଅନନ୍ତର ପରମେଶ୍ଵର ନୋହଙ୍କୁ କହିଲେ, ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇ ଯାଅ। ପୁଣି ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନି ଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ।”

ଦୟାକରି, ଅବଶେଷ କାହାଣୀକୁ ଆଜି ଅପରାହ୍ନ ଅଥବା ଯେତେବେଳେ ଆପଣମାନଙ୍କ ସମୟ ହୁଏ, ପଢ଼ନ୍ତୁ। ଏହି ନୂତନ ସୃଷ୍ଟି କିପରି ଥିଲା ତାହା ଜାଣିବା ପାଇଁ ଏହି କାହାଣୀକୁ ପଢ଼ନ୍ତୁ, କାରଣ ଜଳପ୍ଳାବନ ନୂତନ ସୃଷ୍ଟିର ଏକ ବାର୍ତ୍ତା ଅଟେ, ଯେପରି ଆମ୍ଭେମାନେ ଆଦି ପୁସ୍ତକ ୧ ପର୍ବରେ ପଢୁ, ଜଳ ପୁନଶ୍ଚ ଆପଣା ପୂର୍ବ ସ୍ଥିତିରେ ପରିବର୍ତ୍ତିତ ହୋଇଥିଲା ଓ ପରେ ନୂତନ ସୃଷ୍ଟି ହୋଇଥିଲା। ଆଉ ଯେତେବେଳେ ଆପଣ ପରବର୍ତ୍ତୀ ପର୍ବକୁ ଅଧ୍ୟୟନ କରନ୍ତି, ଆପଣ ଦେଖିବେ ଯେ କେତୋଟି ବିଷୟ ସ୍ପଷ୍ଟ ଦେଖିବାକୁ ମିଳେ, ଅର୍ଥାତ୍ ୧୭ ପଦରେ “ପରମେଶ୍ୱରଙ୍କ ଯୋଜନା ସ୍ପଷ୍ଟ ଦେଖିବାକୁ ମିଳେ”। ପାପ ଓ ଏହି ଭୌତିକ ଜଗତ ନଷ୍ଟ ହେଲା ପରେ ମଧ୍ୟ ତାହା ପରମେଶ୍ୱରଙ୍କ ଯୋଜନାକୁ ବିଫଳ କରି ନ ଥିଲା ଏବଂ ସେ ଏବେ ମଧ୍ୟ ଚାହାଁନ୍ତି ଯେ ଲୋକମାନେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ। ଦ୍ୱିତୀୟରେ, ପରମେଶ୍ୱର ଏକ ମୁକ୍ତିଦାତା ପରମେଶ୍ୱର ରୂପେ ନିରନ୍ତର ହୋଇ ରୁହନ୍ତି, ନୋହଙ୍କ ବଳିଦାନକୁ ସେ ସୁଗ୍ରାହ୍ୟ ବଳି ରୂପେ ଗ୍ରହଣ କରନ୍ତି। ଯେତେବେଳେ ପାପ ପରମେଶ୍ୱରଙ୍କୁ ଖେଦିତ କଲା, ସେତେବେଳେ ନୋହଙ୍କ ବଳିଦାନ ପରମେଶ୍ୱରଙ୍କ ନିମନ୍ତେ ସୁଗ୍ରାହ୍ୟ ବଳି ହେଲା, ୮:୨୦-୨୨। ଏଥିଉତ୍ତାରେ ପରମେଶ୍ୱର କହନ୍ତି, ଅନ୍ୟ ବ୍ୟକ୍ତିକୁ ହତ୍ୟା କରିବା ଏକ ଅପରାଧ ଅଟେ, ୯:୬ ପଦ। ପରିଶେଷରେ ନୋହଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ପରମେଶ୍ୱର ତାହା କରନ୍ତି। ସେ ନୋହଙ୍କ ସହିତ, ସମ୍ପୂର୍ଣ୍ଣ ମାନବ ଜାତି, ଓ ପଶୁଗଣ ସହିତ ଆପଣା ନିୟମ ସ୍ଥାପନ କରନ୍ତି। ପୁରାତନ ନିୟମରେ ନିୟମ ଏକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଧାରଣା ଅଟେ। ଯେତେବେଳେ ଆମ୍ଭେମାନେ ଅବ୍ରହାମଙ୍କ ବିଷୟରେ ଦେଖୁ, ସେହି ସମୟରେ ଏହି ବିଷୟରେ ଅଧିକ ଚିନ୍ତା କରିବା। କିନ୍ତୁ ପରମେଶ୍ୱର ଆପଣା ନିୟମ ସ୍ଥାପନ କରନ୍ତି, ଅର୍ଥାତ୍ ସମସ୍ତ ପ୍ରାଣୀଙ୍କୁ ଜଳପ୍ଳାବନ ଦ୍ଵାରା ଆଉ ଉଚ୍ଛିନ୍ନ କରିବେ ନାହିଁ, ତାହା ସେ ସୃଷ୍ଟି ସହିତ ନିୟମ ସ୍ଥାପନ କରନ୍ତି। ଏବଂ ତା’ପରେ ସେ କହନ୍ତି, “ଆମ୍ଭେ ମେଘରେ ଆପଣା ଧନୁ ସ୍ଥାପନ କରିବୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ, ଅତଏବ ଯେବେ ସେହି ଧନୁ ମେଘରେ ଦେଖାଯିବ, ତାହା ଆମ୍ଭର ସ୍ମରଣ ହେବ, ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଳାବନ ଆଉ ହେବ ନାହିଁ।”

କିନ୍ତୁ, ସମ୍ଭବତଃ ୨୧ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ ଅଟେ, କାରଣ ଏହି ଦଣ୍ଡ ପରେ ମଧ୍ୟ ଲୋକମାନେ ପରିବର୍ତ୍ତିତ ହୋଇ ନାହାଁନ୍ତି।  ମୂଳ ପାପ ଏବେ ମଧ୍ୟ କ୍ରିୟାଶୀଳ ଅଟେ, ଦୁଷ୍ଟତା ଏବେ ମଧ୍ୟ କ୍ରିୟାଶୀଳ ଅଟେ, ଆପଣ ତାହା ଦେଖନ୍ତି କି? ଅଧ୍ୟାୟ ୮:୨୧ ପଦର ମଧ୍ୟ ଭାଗରେ ଲେଖାଯାଏ, “ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକି ଅଭିଶାପ ଦେବା ନାହିଁ” ଏହା ଏନ୍ଆଇୱିର ଅନୁବାଦ କିଛି ମାତ୍ରାରେ ଠିକ୍ ଜଣା ପଡ଼େ, “ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ପରମେଶ୍ୱର କହନ୍ତି, “ଯଦିଓ ପାପ, ଯାହା ଶୀଘ୍ର ଏହି ଅଭିଶାପକୁ ଘଟାଇଥିଲା, ପରିବର୍ତ୍ତିତ ହୋଇନାହିଁ, ଆଉ ଥରେ କେବେହେଁ ପୃଥିବୀକି ଅଭିଶାପ ଦେବା ନାହିଁ।” ଲୋକମାନେ ପରିବର୍ତ୍ତିତ ହୋଇ ନାହାଁନ୍ତି। ପରମେଶ୍ୱର, ନୋହ ଓ ତାହାଙ୍କ ପରିବାର ବ୍ୟତୀତ ସମସ୍ତଙ୍କୁ ନଷ୍ଟ କଲେ, ଆଉ ଲୋକମାନେ ପରିବର୍ତ୍ତିତ ହେଲେ ନାହିଁ। ଆମ୍ଭମାନଙ୍କୁ ପୁଣି ଏକ ମୁକ୍ତିଦାତା ଆବଶ୍ୟକ ଅଟେ, କ’ଣ ଆମ୍ଭମାନଙ୍କୁ ନୁହେଁ କି? ତଥାପି ଆମ୍ଭମାନଙ୍କ ନିମନ୍ତେ ମୁକ୍ତିଦାତାଙ୍କ ଆବଶ୍ୟକ ଅଟେ।

୫. ଉପସଂହାର

ଜଳପ୍ଳାବନର କାହାଣୀ ପିଲାମାନଙ୍କ ଏକ କାହାଣୀ ନୁହେଁ। ଦୟାକରି ଏହାକୁ କିଛି ସୁନ୍ଦର ବିଷୟ ଭାବି ଏହାର ବାର୍ତ୍ତାକୁ ନ ଦେଖିଲା ପରି କରନ୍ତୁ ନାହିଁ।

ଯେତେବେଳେ ଆପଣ ବୃଷ୍ଟି ହେବା ଦେଖନ୍ତି, ତେବେ ପରମେଶ୍ୱରଙ୍କ ସହିତ ସହମତ ହେଅନ୍ତୁ ଯେ ସେ ପାପକୁ ଘୃଣା କରନ୍ତି। ଯେତେବେଳେ ଆପଣ ବର୍ଷାର ବିନ୍ଦୁ ଦେଖନ୍ତି, ତେବେ ଏହା ସ୍ୱୀକାର କରନ୍ତୁ ଯେ ଆମ୍ଭମାନଙ୍କ ପାପ ପରମେଶ୍ୱରଙ୍କୁ ଖେଦିତ କରେ, ତାହାଙ୍କ ହୃଦୟକୁ ଭାଙ୍ଗିଥାଏ। ରୋମୀୟ ୨:୪, ଓ ୨ ପିତର ୩:୯ ଅନୁସାରେ, ଦଣ୍ଡ ଦେବାରେ ସେ ବିଳମ୍ବ କରି ପାରନ୍ତି, ସେ ଆମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ସମୟ ଦେଇ ପାରନ୍ତି। କିନ୍ତୁ ପାପ ସବୁବେଳେ ଭୟାନକ ଅଟେ, ଏହା ସବୁବେଳେ ମାରାତ୍ମକ ଅଟେ, ଏହା ସବୁବେଳେ ଦଣ୍ଡ ଯୋଗ୍ୟ ଅଟେ। ଆଉ ତାହା ହିଁ ବଡ଼ଦିନ ଅଟେ, ତାହା ନୁହେଁ କି? ବଡ଼ଦିନ ଏକ ସୁନ୍ଦର ଶିଶୁର ଜନ୍ମ ବିଷୟରେ ନୁହେଁ, ମାତ୍ର ଈଶ୍ୱରଙ୍କ ମେଷଶାବକଙ୍କ ଜନ୍ମର କାହାଣୀ ଅଟେ, ଯିଏ ଗୋଟିଏ ଦିନ ଆମ୍ଭମାନଙ୍କ ନିମନ୍ତେ ପାପ ରୂପେ ଗଣିତ ହେବେ, ଯାହାଦ୍ୱାରା ଆପଣ ଓ ମୁଁ ଈଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା। ଯେତେବେଳେ ଆମ୍ଭେମାନେ ବୃଷ୍ଟିକୁ ଦେଖୁ ଓ ଜଳପ୍ଳାବନକୁ ସ୍ମରଣ କରୁ, ତେବେ ସେହି ଜଳପ୍ଳାବନର ବାର୍ତ୍ତାକୁ ଭୁଲିବାର ଦୁଃସାହସ ନ କରୁ। କିନ୍ତୁ ଯେତେବେଳେ ଆମ୍ଭେମାନେ ମେଘ ଧନୁକୁ ଦେଖୁ, ତେବେ ଆମ୍ଭେମାନେ ପରମେଶ୍ୱରଙ୍କ ସହିତ ଏକମତ ହେଉ ଯେ ସେ ଧାର୍ମିକତାରେ ପ୍ରସନ୍ନ ହୁଅନ୍ତି। ପରମେଶ୍ୱରଙ୍କ ସହିତ ଏକମତ ହୁଅନ୍ତୁ ଯେ ବିଶ୍ୱାସ ବିନା ତାହାଙ୍କୁ ପ୍ରସନ୍ନ କରିବା ସମ୍ଭବ ନୁହେଁ, ଅର୍ଥାତ୍ ଯେଉଁମାନେ ବିଶ୍ୱାସର ସହିତ ଆଜ୍ଞାବହ ହୁଅନ୍ତି, ସେମାନେ ପୁରଷ୍କୃତ ହେବେ। ତାହା ମେଘଧନୁ, ଅର୍ଥାତ୍ ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ ନିୟମର ବାର୍ତ୍ତା ଅଟେ, କାରଣ ସେ ଆମ୍ଭମାନଙ୍କ ପାପ ଓ ତା’ର ପରିଣାମ ମଧ୍ୟରେ ସୁଦ୍ଧା ସେ ମୁକ୍ତି ପ୍ରଦାନ କରୁଥିବା ପରମେଶ୍ୱର ଅଟନ୍ତି।

ଗତ ଦିନରେ ପରମେଶ୍ୱର ଆପଣଙ୍କୁ ବାସ୍ତବରେ ମୂର୍ଖତା ଭଳି କିଛି କାର୍ଯ୍ୟ କରିବାକୁ କହିଅଛନ୍ତି କି? କ’ଣ ଏପରି କିଛି କାର୍ଯ୍ୟ କରିବାକୁ କହିଛନ୍ତି ଯାହା ପାଇଁ ଆପଣଙ୍କ ପଡ଼ୋଶୀ ଆପଣା ମସ୍ତକ ହଲାଇ କହନ୍ତି, “କେଡ଼େ ନିର୍ବୋଧ! ମୋ କହିବାର ଅର୍ଥ, ତାହାକୁ କ’ଣ ହେଲା, କ’ଣ ସେମାନଙ୍କ କୌଣସି ବିବେକ ନାହିଁ କି?” ଯେପରି ପରମେଶ୍ୱର ନୋହଙ୍କୁ ଜାହାଜ ବନାଇବା ପାଇଁ କହିଥିଲେ, ସେହିପରି ସେ ଆପଣଙ୍କୁ ମଧ୍ୟ ବିଶ୍ୱାସରେ ପଦକ୍ଷେପ ନେବା ପାଇଁ କହୁଅଛନ୍ତି କି? ଯେପରି ସେ ମୋଶାଙ୍କୁ ମିସରକୁ ଫେରି ଆପଣା ଲୋକମାନଙ୍କୁ ଉଦ୍ଧାର କରିବାକୁ କହିଥିଲେ, ସେ ଆପଣଙ୍କୁ ସେହିପରି ମୂର୍ଖତାପୂର୍ଣ୍ଣ କିଛି କାର୍ଯ୍ୟ କରିବାକୁ କହୁଅଛନ୍ତି କି? ପରମେଶ୍ୱର ଆପଣଙ୍କୁ ଏହି ଜଗତକୁ ନେଇ ମୂର୍ଖତାପୂର୍ଣ୍ଣ କିଛି କାର୍ଯ୍ୟ କରିବାକୁ କହୁଅଛନ୍ତି କି, ଯେପରି ସେ ହଡ଼୍‌ସନ୍‌ ଟେଲରଙ୍କୁ ମିସନ୍ କାର୍ଯ୍ୟର ସକଳ ପାରମ୍ପାରିକ ଜ୍ଞାନ ନ ଦେଖିବାକୁ ଓ ବଡ଼ ନଗରକୁ ନ ଯାଇ ଚୀନ୍ ଦେଶର ଆଭ୍ୟନ୍ତରୀଣ ସ୍ଥାନକୁ ଯିବାକୁ କହିଥିଲେ? ହଡ଼୍‌ସନ୍‌ ଟେଲର ତାହା କଲେ। ଏରିକ୍ ଲିଡ୍ଡଲ କ୍ରୀଡ଼ା ସମ୍ବନ୍ଧୀୟ ଆପଣା କାର୍ଯ୍ୟକୁ ତ୍ୟାଗ କରି ସେ ତାହା କଲେ। ଏବଂ ବର୍ତ୍ତମାନ, ଚୀନରେ ୬୦-୭୦ ମିଲିୟନ ଖ୍ରୀଷ୍ଟିୟାନ ଅଛନ୍ତି, ଯେଉଁମାନଙ୍କୁ ସାହାର୍ଯ୍ୟର ଆବଶ୍ୟକ ଅଟେ। ପରମେଶ୍ୱର ଆପଣଙ୍କୁ ପାପକୁ ଘୃଣା କରିବା ଭଳି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରିବାକୁ କହୁଅଛନ୍ତି, କିମ୍ବା ପାପ ନ କରିବାକୁ କହୁଅଛନ୍ତି, କିନ୍ତୁ ପବିତ୍ରତାକୁ, ଅର୍ଥାତ୍ ଯାହା ଅତି ମହତ୍ୱପୂର୍ଣ୍ଣ ଅଟେ, ତାହା ଅନ୍ୱେଷଣ କରିବାକୁ କହୁଅଛନ୍ତି କି? ଯଦି ଆପଣ ପବିତ୍ରତାକୁ ଅନ୍ୱେଷଣ କରନ୍ତି, ଯଦି ଆପଣ ଓ ମୁଁ ବୁଝି ପାରୁ ଯେ ପାପ ପରମେଶ୍ୱରଙ୍କୁ ଖେଦିତ କରିଥାଏ, ତେବେ ଆମ୍ଭମାନଙ୍କୁ ପରିହାସ କରାଯିବ, ଲୋକେ ଆମ୍ଭମାନଙ୍କ ଉପରେ ହସିବେ। ପୁଣି, କହିବେ “ବିଜ୍ଞଗଣ! ତୁମ୍ଭମାନଙ୍କୁ କ’ଣ ହେଲା?” କିନ୍ତୁ ପରମେଶ୍ୱର ଆପଣଙ୍କୁ ଦୃଢ଼ୀଭୂତ ହେବାକୁ କହୁଅଛନ୍ତି ଯେ ପବିତ୍ରତା ସର୍ବଦା ମହତ୍ୱପୂର୍ଣ୍ଣ ଅଟେ। ପରମେଶ୍ୱର ଆପଣଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଏକ ସମର୍ପିତ ଶିଷ୍ୟ ହୋଇ, କିଛି ନ ରଖି, ଆପଣାର ସର୍ବସ୍ୱ ସମର୍ପଣ କରିବା ଭଳି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରିବାକୁ କହୁଅଛନ୍ତି କି?

ପରମେଶ୍ୱର, ପାପର ବିଚାରକର୍ତ୍ତା ଅଟନ୍ତି, ଆମ୍ଭ ପ୍ରତ୍ୟେକଙ୍କୁ ପରିତ୍ରାଣର ଭରସା ପ୍ରଦାନ କରନ୍ତି ଓ ପାପ ଯେ ଭୟାନକ ଅଟେ ଓ ତାହା ଆମ୍ଭମାନଙ୍କୁ ପରମେଶ୍ୱରଙ୍କଠାରୁ ପୃଥକ କରିଅଛି, ସେଥିରେ ଆମ୍ଭମାନଙ୍କୁ ଏକମତ ହେବାକୁ ହେବ। ଆମ୍ଭେମାନେ ସହମତ ହେବାକୁ ଅଛି ଯେ କ୍ରୁଶ ଉପରେ ସେ ପାପର ନ୍ୟାୟ କଲେ ଓ ମୁକ୍ତି ପ୍ରଦାନ କଲେ, କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଆମ୍ଭମାନଙ୍କ ପାପର ମୂଲ୍ୟ ଦେଲେ। ଆମ୍ଭମାନଙ୍କୁ ସହମତ ହେବାକୁ ହେବ ଯେ ଜଳପ୍ଳାବନର ପରମେଶ୍ୱର, ଯୀଶୁ ଖ୍ରୀଷ୍ଟଙ୍କ ଏକ ସମର୍ପିତ ଶିଷ୍ୟ ରୂପରେ ଆମ୍ଭମାନଙ୍କ ସମ୍ପୂର୍ଣ୍ଣ ନିଷ୍ଠାର ଯୋଗ୍ୟ ଅଟନ୍ତି। ତାହା ସେ ଆପଣଙ୍କୁ, ଆପଣଙ୍କ ପଡ଼ୋଶୀ, ଆପଣଙ୍କ ସହକର୍ମୀ, ଓ ଆପଣଙ୍କ ପରିବାରସ୍ଥ ସମସ୍ତ ସଦସ୍ୟଙ୍କୁ ପ୍ରଦାନ କରନ୍ତି। ନର୍କକୁ ଯାଉଥିବା ଲୋକ ଯେଉଁ ସ୍ଥାନର ରହନ୍ତୁ ନା କାହିଁକି, ପୁଣି ଯିଏ ଜଳପ୍ଳାବନରେ ବିନଷ୍ଟ ହେବାକୁ ଯାଉଅଛନ୍ତି, ପରମେଶ୍ୱର ସେମାନଙ୍କୁ ମୁକ୍ତିଦାନ କରନ୍ତି। ମୁଁ ଆପଣଙ୍କୁ ନୋହଙ୍କ ସମାନ ବିଶ୍ୱାସର ସହିତ ପ୍ରତ୍ୟୁତ୍ତର ଦେବାକୁ ଆମନ୍ତ୍ରଣ କରେ। ଯାହା ଆପଣ ଦେଖି ପାରନ୍ତି ନାହିଁ ତାହା ବିଶ୍ୱାସ କରିବାକୁ ମୁଁ ଆପଣଙ୍କୁ ଆମନ୍ତ୍ରଣ କରେ। ଆପଣଙ୍କ ବିଶ୍ୱାସକୁ ଧାର୍ମିକତା ଓ ଆନନ୍ଦର ସହିତ ଆଜ୍ଞାବହ ଜୀବନରେ ପ୍ରକାଶ କରିବାକୁ, ଓ ପରମେଶ୍ୱର ଯାହା କିଛି କରିବାକୁ କହନ୍ତି, ତାହା କରିବାକୁ, ପାପକୁ ଘୃଣା କରିବାକୁ, ଧାର୍ମିକ ଜୀବନକୁ ପ୍ରେମ କରିବାକୁ ମୁଁ ଆପଣଙ୍କୁ ଆମନ୍ତ୍ରଣ କରେ। “ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ।” ଆସନ୍ତୁ, ଆମ୍ଭେମାନେ ଆମ୍ଭମାନଙ୍କ ସମୟ ଓ ଯୁଗର ନୋହ ହେଉ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା : ପିତଃ, ଜଳପ୍ଳାବନର କାହାଣୀ ଆହୁରି ଅଧିକ ଆନନ୍ଦମୟ ଲାଗିଥାଏ ଯେତେବେଳେ ଏହା ବନ୍ଦ ହୁଏ ଓ ଆମ୍ଭେମାନେ ସୁନ୍ଦର ଗୀତ ଗାନ କରୁ। କିନ୍ତୁ ପିତଃ, ଆପଣ ଆପଣା ପୁତ୍ରଙ୍କୁ କ୍ରୁଶ ଉପରେ ତ୍ୟାଗ କରିବା ବ୍ୟତୀତ, ଯେତେବେଳେ ସେ ଆମ୍ଭମାନଙ୍କ ପାପ ନିମନ୍ତେ ଦଣ୍ଡଭୋଗ କଲେ, ଏହା ମାନବ ଅସ୍ତିତ୍ୱର ଅନ୍ଧକାରମୟ ସମୟ ଥିଲା। ଏହା ପାପ ପ୍ରତି ଆପଣଙ୍କ ଘୃଣାର ଏକ ଚିତ୍ର ଅଟେ। ଏବଂ ଏହା କ୍ରୁଶ ଉପରେ ଆପଣଙ୍କ ପୁତ୍ରଙ୍କ କାର୍ଯ୍ୟ ବ୍ୟତୀତ, ଯାହା ଉଚିତ୍ ତାହା କରିବାରେ ଆମ୍ଭମାନଙ୍କ ଅସଫଳତାର ଏକ ଚିତ୍ର ଅଟେ। ପିତଃ, ପାପକୁ ଘୃଣା କରିବା ନିମନ୍ତେ ଆମ୍ଭମାନଙ୍କୁ ସାହାର୍ଯ୍ୟ କରନ୍ତୁ। ଆଉ ଯେତେବେଳେ ଆମ୍ଭେମାନେ ନିଜକୁ କହୁ, ଯେ “ଠିକ୍ ଅଛି, ତାହା ଏତେ ମନ୍ଦ ନୁହେଁ”, ସେତେବେଳେ ଯେପରି ଆମ୍ଭେମାନେ ବୁଝି ପାରୁ, ଯେ ତାହା ଭଲ ନୁହେଁ ଓ ତାହା ପରମେଶ୍ୱରଙ୍କୁ ଅତ୍ୟଧିକ ଖେଦିତ କରେ, ଏଥିପାଇଁ ସାହାର୍ଯ୍ୟ କରନ୍ତୁ। କିନ୍ତୁ, ପିତଃ, ଯେଉଁମାନେ ପାପରେ ଅଛନ୍ତି ବା ପାପର ପରିଣାମକୁ ଅନୁଭବ କରୁଅଛନ୍ତି, ସେମାନେ ଆପଣଙ୍କୁ, ଅର୍ଥାତ୍ ଯିଏ ସେମାନଙ୍କୁ ପ୍ରେମ କରନ୍ତି, ଓ ଯିଏ ସେମାନଙ୍କ ପାପ ସକାଶେ ମୃତ୍ୟୁଭୋଗ କଲେ, ଓ ଯିଏ ପାପକ୍ଷମା ପ୍ରଦାନ କରନ୍ତି, ମୁକ୍ତିଦାତା ରୂପରେ ଜାଣିବା ପାଇଁ ସାହାର୍ଯ୍ୟ କରନ୍ତୁ, ଯେପରି ଆମ୍ଭେମାନେ ପୁଣି ଥରେ ଆଦମ ଓ ହବାଙ୍କ ସମାନ, ଓ ନୋହଙ୍କ ସମାନ ଆପଣଙ୍କ ସହିତ ଗମନାଗମନ କରି ପାରୁ। ଯୀଶୁଙ୍କ ନାମରେ, ଆମେନ୍।