୭.  ମୋଶା ଏବଂ ମହାମାରୀଗୁଡ଼ିକ

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ବର୍ଷର ଏହି ସମୟରେ ଆମ୍ଭେମାନେ ଅନେକ ବିଷୟ ନିମନ୍ତେ କୃତଜ୍ଞ ଅଟୁ। ଆମ୍ଭେମାନେ ଆପଣଙ୍କ ପୁତ୍ରଙ୍କ ମୃତ୍ୟୁ ନିମନ୍ତେ କୃତଜ୍ଞ ଅଟୁ, ଯାହା ତାହାଙ୍କ ଜନ୍ମ ଦ୍ୱାରା ସମ୍ଭବ ହୋଇଥିଲା। ଆମ୍ଭମାନଙ୍କ ଜୀବନରେ ମିଳିଥିବା ଅନେକ ଆନନ୍ଦ ନିମନ୍ତେ ଆମ୍ଭେମାନେ କୃତଜ୍ଞ ଅଟୁ। ପିତା, ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ଦୁଃଖ ମଧ୍ୟରେ ଆନନ୍ଦିତ ହେବା ଉଚିତ, କାରଣ ଏହି ଦୁଃଖ ମଧ୍ୟ ଦେଇ ଆପଣ ଆପଣାକୁ ଶକ୍ତିଶାଳୀ ରୂପରେ ପ୍ରକାଶ କରିଥାଅ। ପିତା, ଏହି ପ୍ରାତଃକାଳରେ ଯେତେବେଳେ ଆମ୍ଭେମାନେ ମୋଶାଙ୍କ କାହାଣୀକୁ ଦେଖୁ, ଆମ୍ଭେମାନେ ପ୍ରାର୍ଥନା କରୁ ଯେ, ପୁଣିଥରେ ଆମ୍ଭମାନଙ୍କୁ ଦୃଢୀଭୂତ କରନ୍ତୁ ଏହା ବୁଝିବାକୁ ସାହାଯ୍ୟ କରନ୍ତୁ ଯେ, ଆପଣ କାର୍ଯ୍ୟରତ ଥିଲେ, ପୁଣି, ଅନ୍ତିମ ଦିନରେ, ସମସ୍ତ ଗୌରବ ଆପଣଙ୍କ ହେଉ। ଯୀଶୁଙ୍କ ନାମରେ, ଆମେନ୍।

 

ଆଦି ପୁସ୍ତକ ୧୫ ପର୍ବରେ, ଆମ୍ଭେମାନେ ଅବ୍ରହାମ ତାହଙ୍କ ସହିତ କରିଥିବା ପରମେଶ୍ୱରଙ୍କ ନିୟମ ବିଷୟରେ ପଢ଼ୁ। ଆମ୍ଭେମାନେ ଆଜି ସକାଳେ ଅନେକ ପଦଗୁଡ଼ିକୁ ଦେଖିବାକୁ ଯାଉଅଛୁ, ତେଣୁ ଯେତେବେଳେ ଆମ୍ଭେମାନେ ଏହା ମଧ୍ୟ ଦେଇ କାର୍ଯ୍ୟ କରୁ, ଆପଣମାନେ ଆପଣା ବାଇବଲକୁ, ବିଶେଷରେ ଯାତ୍ରା ପୁସ୍ତକକୁ ଖୋଲି ରଖନ୍ତୁ। କିନ୍ତୁ, ଆଦି ପୁସ୍ତକ ୧୫:୧୩ ପଦରେ ଆମ୍ଭେମାନେ ଏହି ପରି ପଢ଼ିଥାଉ, “ସେତେବେଳେ ସେ ଅବ୍ରାମଙ୍କୁ କହିଲେ, ତୁମ୍ଭର ସନ୍ତାନଗଣ ଚାରିଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ; ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ।” ଠିକ୍ ଅଛି, ଯେପରି ଆମ୍ଭେମାନେ ଆଗକୁ ପଢ଼ୁ, ଆମ୍ଭେମାନେ ଜାଣୁ ଯେ ସେହି ଦେଶ ବାସ୍ତବରେ ମିସର ଦେଶ ଅଟେ। କାରଣ ଅବ୍ରହାମଙ୍କ ନାତି ଯାକୁବ, ଅର୍ଥାତ୍ ଯାହାଙ୍କ ନାମ ଇସ୍ରାଏଲ ମଧ୍ୟ ଅଟେ, ପରିଶେଷରେ ମିସରକୁ ଯାତ୍ରା କରନ୍ତି, ଯେପରି ତାହାଙ୍କ ପୁତ୍ର ଯୋଷେଫ ଓ ଫାରୋ ସେହି ମହା ଦୁର୍ଭିକ୍ଷ ସମୟରେ ସେଠାରେ ତାଙ୍କ ପରିବାରର ଯତ୍ନ ନେଇପାରନ୍ତି। ଏବଂ ଏହି କାହାଣୀ ପୁରାତନ ନିୟମର ଦ୍ୱିତୀୟ ପୁସ୍ତକ, ଅର୍ଥାତ୍ ସମ୍ପୂର୍ଣ୍ଣ ଯାତ୍ରା ପୁସ୍ତକର ପୃଷ୍ଠଭୂମି ରୂପେ ସ୍ଥାପନ କରେ। ଯାତ୍ରା ପୁସ୍ତକ ୧:୮ ପଦରେ ଆମ୍ଭେମାନେ ଏହିପରି ପଢୁ, “ଅନନ୍ତର ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ। ସେ ଆପଣା ଲୋକମାନଙ୍କୁ କହିଲେ, ଦେଖ, ଇସ୍ରାଏଲ-ସନ୍ତାନମାନଙ୍କ ବଂଶ” (ଅର୍ଥାତ୍ ଯାକୁବଙ୍କ ସନ୍ତାନଗଣ), “ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି। ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ।” ଏବଂ ନୂତନ ଫାରୋଙ୍କ ଏହି ନିର୍ଣ୍ଣୟ ହେତୁ ପରିଶେଷରେ ସମ୍ପୂର୍ଣ୍ଣ ଇସ୍ରାଏଲ ଜାତି ଦାସତ୍ୱରେ ଚାଲିଗଲା ସମସ୍ତ ନବଜାତ ଶିଶୁପୁତ୍ରକୁ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ, ମୋଶା ଜନ୍ମ ହେବା ସମୟରେ ଚମତ୍କାର ଭାବରେ ଉଦ୍ଧାର ହୋଇଥିଲେ। ସେ ଶେଷରେ ମିଶର ଛାଡି ମିଦିୟନରେ ସମୟ ବିତାଇଲେ, ଯାହାକି ମରୁଭୂମିରେ ପୂର୍ବରେ ଅବସ୍ଥିତ, ଯେଉଁଠାରେ ସେ ତାଙ୍କ ଜୀବନର ଚାଳିଶ ବର୍ଷ ବିତାଇଲେଏଉତ୍ତାରେ ଆମ୍ଭେମାନେ ଯାତ୍ରା ପୁସ୍ତକ ୩ ପର୍ବକୁ ଆସୁ ଓ ଅଗ୍ନିରେ ପ୍ରଜ୍ଵଳିତ ବୁଦାର କାହାଣୀକୁ ଦେଖୁ। ମୋଶା ତାଙ୍କର ମେଷ ପଲର ଯତ୍ନ ନେଉଅଛନ୍ତି। ଆଉ ଦେଖ, ସେ, ଗୋଟିଏ ବୁଦା ଅଗ୍ନିରେ ପ୍ରଜ୍ଵଳିତ ହେଉଥିବା, ଓ ତଥାପି ବୁଦା ନଷ୍ଟ ହେଉ ନ ଥିବା ଦେଖିଲେ। ପୁଣି ସେ ତାହା ଦେଖିବାକୁ ପାଖକୁ ଗଲେ। ଏବଂ ୩:୪ ପଦରୁ ଲେଖାଯାଏ, “ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ଵର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ‘ହେ ମୋଶା, ହେ ମୋଶା’। ତହିଁରେ ସେ କହିଲେ, ‘ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି’ ତହୁଁ ପରମେଶ୍ଵର କହିଲେ, ‘ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି’ ସେ ଆହୁରି କହିଲେ, ‘ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ପରମେଶ୍ଵର ଓ ଯାକୁବର ପରମେଶ୍ଵର’ ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ଵରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।” ଗୋଟିଏ ଅଦ୍ଭୁତ ମାଧ୍ୟମରେ ପରମେଶ୍ୱର ମୋଶାଙ୍କ ଧ୍ୟାନ ଆକର୍ଷଣ କଲେ ଓ ସେ କୌଣସି ଏକ ଦେବତା ରୂପରେ ନୁହେଁ, ମାତ୍ର ମୋଶାଙ୍କ ପୈତୃକ ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍ହାରକର ପରମେଶ୍ଵର ଓ ଯାକୁବର ପରମେଶ୍ଵର ରୂପରେ ଆପଣାକୁ ପ୍ରକାଶ କଲେ। ତାହା ପରେ ୭ ପଦରୁ, ସେ ଆପଣା ନିୟମକୁ ରକ୍ଷା କରିବାକୁ, ଅର୍ଥାତ୍ ଅବ୍ରହାମକୁ ଦେଇଥିବା ପ୍ରତିଜ୍ଞା ସଫଳ କରିବା ନିମନ୍ତେ କିପରି ମୋଶାଙ୍କୁ ବ୍ୟବହାର କରିବାକୁ ଯାଉଅଛନ୍ତି, ତାହା ସେ ପ୍ରକାଶ କରନ୍ତି। ପରମେଶ୍ୱର କହନ୍ତି, “ଆମ୍ଭେ ମିସର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଳେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟଶାସକମାନଙ୍କ ଲାଗି ସେମାନଙ୍କ ରୋଦନ ଶୁଣିଅଛୁ; ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ। ଏହେତୁ ମିସ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ, ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ; ଅର୍ଥାତ୍, କିଣାନୀୟ ଓ ହିତ୍ତୀୟ ଓ ଇମୋରୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ଥାʼନ୍ତି, ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଯିବାକୁ ଓହ୍ଲାଇ ଆସିଲୁ।” ଅନ୍ୟ ବାକ୍ୟରେ, “ଆମ୍ଭେ ଆପଣା ନିୟମକୁ ସଫଳ କରିବାକୁ ଯାଉଅଛୁ। ଆମ୍ଭେ ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲୁ ଯେ ଆମ୍ଭେ ତୁମ୍ଭକୁ ସନ୍ତାନ ଦେବା। ଆମ୍ଭେ ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲୁ ଯେ, ଆମ୍ଭେ ତୁମ୍ଭକୁ ଏକ ଦେଶ ଦେବା। ତେଣୁ ଆମ୍ଭେ ତାହାଙ୍କ ସନ୍ତାନଗଣଙ୍କୁ ମିସର ଦେଶରୁ ବାହାର କରି ପ୍ରତିଜ୍ଞାତ ଦେଶକୁ ଆଣିବାକୁ ଯାଉଅଛୁ।” ଏବଂ ତା’ପରେ ୧୩ ପଦରେ, ଯେପରି ପରମେଶ୍ୱର ମୋଶାଙ୍କୁ ଆପଣା ନାମ ପ୍ରକାଶ କରନ୍ତି, ଆମ୍ଭେମାନେ ପୁରାତନ ନିୟମରେ ଧର୍ମତତ୍ତ୍ୱ ଆଧାରିତ ଏକ ମହତ୍ୱପୂର୍ଣ୍ଣ ଅନୁଚ୍ଛେଦକୁ ଦେଖୁ। ବର୍ତ୍ତମାନ ମୋତେ ଯେତେବେଳେ ମୋ ମାତା ଓ ପିତା ବିଲ୍ ବୋଲି ଡାକିବାକୁ ସ୍ଥିର କଲେ, ମୁଁ ଥରେ ତାହାଙ୍କୁ ପଚାରିଲି, “ତୁମେ କାହିଁକି ମୋତେ ବିଲ୍ ବୋଲି ଡାକିଲ? ମୋତେ ଲାଗୁଛି ୱିଲିୟମ୍ର ଅର୍ଥ ‘ବିଜୟୀ’ ଅଟେ। ମୁଁ ସେହି ପରି ଅଟେ।” ସେମାନେ କହିଲେ, ନାହିଁ, ଆମ୍ଭେମାନେ ଦେଖିଲୁ ଯେ କେହି ବିଲ୍ ନାମରେ ପରିହାସ କରି ପାରିବେ ନାହିଁ।” ବାସ୍ତବରେ ଏହା ତାହାର ଅର୍ଥ ନୁହେଁ, କିନ୍ତୁ, ପୁରାତନ ନିୟମରେ ସେହି ପରି ହୋଇ ନ ଥାଏ। ନାମ ଗୋଟିଏ ବ୍ୟକ୍ତିର ବ୍ୟକ୍ତିତ୍ୱ ବା ଚରିତ୍ରକୁ ପ୍ରକାଶ କରେ। ତେଣୁ ଯଦି ଆମ୍ଭେମାନେ ବୁଝିବାକୁ ଯାଉଅଛୁ ଯେ ସେ ନିୟମ ରକ୍ଷାକାରୀ ପରମେଶ୍ୱର କିଏ, ତେବେ ପରମେଶ୍ୱର ଆପଣା ନାମ ପ୍ରକାଶ କରିବା ବହୁତ ମହତ୍ୱପୂର୍ଣ୍ଣ ଅଟେ। ୧୩ ପଦ, “ଅନନ୍ତର ମୋଶା ପରମେଶ୍ଵରଙ୍କୁ କହିଲେ, ‘ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, ‘କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ଵର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି,’ ପୁଣି ସେମାନେ ପଚାରିବେ, ‘ତାହାଙ୍କର ନାମ କଅଣ?’ ସେତେବେଳେ ମୁଁ କି ଉତ୍ତର ଦେବି?’ ତହିଁରେ ପରମେଶ୍ଵର ମୋଶାଙ୍କୁ କହିଲେ, ‘ଆମ୍ଭେ ଯେ ଅଛୁ, ସେ ଅଛୁ।’ ପୁଣି ସେ କହିଲେ, ‘ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିବ, “ସ୍ଵୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।’ ପରମେଶ୍ଵର ମୋଶାଙ୍କୁ ଆହୁରି କହିଲେ, ‘ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍ହାରକର ପରମେଶ୍ଵର ଓ ଯାକୁବର ପରମେଶ୍ଵର ଯେ ସଦାପ୍ରଭୁ (ସ୍ଵୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’”

ପରମେଶ୍ୱର ଆପଣା ନାମକୁ ପ୍ରକାଶ କରନ୍ତି ଓ ଇଂରାଜୀରେ ତାହାର ଅର୍ଥ ଯିହୋବା ଅଟେ। ବାସ୍ତବରେ ବାଇବଲରେ ଯେତେବେଳେ ମଧ୍ୟ ଆପଣ “ସଦାପ୍ରଭୁ” ନାମକୁ ଦେଖନ୍ତି, ତାହା ପରମେଶ୍ୱରଙ୍କ ସେହି ମହାନ ନାମର ଅନୁବାଦ ଅଟେ। ହୋଇପାରେ ସେହି ନାମ ଅସାଧାରଣ ଭଲି ଜଣାପଡ଼େ, କାରଣ ଏବ୍ରୀ ଭାଷାରେ ବାର୍ତ୍ତାଳାପ କରିବା ସମୟରେ ସ୍ୱରବର୍ଣ୍ଣ ବ୍ୟବହାର କରାଯାଏ, ମାତ୍ର ଯେତେବେଳେ ଲେଖାଯାଏ, ସେହି ସମୟରେ ସ୍ୱରବର୍ଣ୍ଣ ବ୍ୟବହାର ହୁଏ ନାହିଁ। ତେଣୁ କେବଳ ବ୍ୟଞ୍ଜନବର୍ଣ୍ଣ ବ୍ୟବହାର କରାଯାଏ। ଦୁର୍ଭାଗ୍ୟବଶତଃ, ଆମ୍ଭେମାନେ ବ୍ୟଞ୍ଜନବର୍ଣ୍ଣରେ ଠିକ୍ କେଉଁ ସ୍ୱରବର୍ଣ୍ଣ ବ୍ୟବହାର କରାଯାଏ, ତାହା ସମ୍ପୁର୍ଣ୍ଣ ନିଶ୍ଚିତ ନୁହେଁ, ତେଣୁ ପରମେଶ୍ୱରଙ୍କ ନାମ ବାସ୍ତବରେ କ’ଣ ଥିଲା ଓ ସେହି ନାମର ଅର୍ଥ କ’ଣ ହେବ, ତାହା ମଧ୍ୟ ଆମେ ନିଶ୍ଚିତ ନୁହେଁ। ଆମ୍ଭେମାନେ ଜାଣୁ ଯେ ଏହା “ଆମ୍ଭେ ଅଛୁ” କ୍ରିୟାରୁ ଗଠିତ ଅଟେ, ଯାହା ଓଡିଆରେ “ଅସ୍ତିତ୍ୱରେ ହେବା” କ୍ରିୟା ଅଟେ। କିନ୍ତୁ ଆମ୍ଭେମାନେ ନିଶ୍ଚିତ ନୁହେଁ ଓ ଆମ୍ଭେମାନେ କ’ଣ କରିଅଛୁ ନା, ପରମେଶ୍ୱରଙ୍କ ଅନ୍ୟ ଏକ ନାମ, ଏଡୋନାଇ ର ସ୍ୱରବର୍ଣ୍ଣକୁ ନେଇ (ବାସ୍ତବରେ ଆମ୍ଭେମାନେ ତାହା କରି ନାହୁଁ, ଯିହୂଦୀଲୋକେ ତାହା କରିଅଛନ୍ତି ) ବ୍ୟଞ୍ଜନ ବର୍ଣ୍ଣରେ ବ୍ୟବହାର କରିଅଛୁ, ଯାହା ଦ୍ୱାରା ଆମ୍ଭେମାନେ “ଯିହୋବା” ଶବ୍ଦ ପାଇଅଛୁ। ବର୍ତ୍ତମାନ, ମୁଁ ସେସବୁ କହିଲି, କାରଣ ଯିହୋବା ନାମ ଓ ତାହାର ଅର୍ଥ ବିଷୟରେ ପର୍ବ ଉପରେ ପର୍ବ ଓ ପୁସ୍ତକ ଉପରେ ପୁସ୍ତକ ଲେଖା ଯାଇଅଛି, ପୁଣି ସମ୍ପୂର୍ଣ୍ଣ ଧର୍ମ ବିଜ୍ଞାନରେ ସେହି ନାମର ଅର୍ଥ ଜାଣିବାକୁ ଅନେକ ଧର୍ମଶାସ୍ତ୍ରଜ୍ଞମାନେ ଚେଷ୍ଟା କରିଥିଲେ ଯେ ସେହି ନାମ କ’ଣ ଥିଲା ଓ ଅଟେ ଏବଂ ତାହାର ଅର୍ଥ କ’ଣ ଥିଲା ଓ ଅଟେ। ପ୍ରାୟ ସମସ୍ତ ଆଲୋଚନାରେ ଅତି କମରେ ତିନୋଟି ବିଷୟ ସାଧାରଣ ଅଟେ, ଯେଉଁଥିରେ ସମସ୍ତେ ଏକମତ ହୋଇ କହୁଥିଲେ “ତାହା ପରମେଶ୍ୱରଙ୍କ ନାମର ଅର୍ଥ ଅଟେ।” ସର୍ବ ପ୍ରଥମେ, ପ୍ରକୃତ ନାମ ଯିହୋବା, ଆମ୍ଭେ, ଦାବି କରେ ଯେ ପରମେଶ୍ୱର ବିଦ୍ୟମାନ ଅଟନ୍ତି ଯେ ଅବ୍ରହାମଙ୍କ ପରମେଶ୍ୱର, ଇସ୍‌ହାକ ଓ ଯାକୁବଙ୍କ ପରମେଶ୍ୱର ଅଟନ୍ତି ଓ ସେ ସମ୍ପୂର୍ଣ୍ଣ ଭାବରେ ବାସ୍ତବ ଅଟନ୍ତି। ସେ କୌଣସି ମନଗଢ଼ା କାହାଣୀ ନୁହେଁ, ସେ ଜେଜେମା ଦ୍ୱାରା କୁହାଯାଉଥିବା କୌଣସି କାହାଣୀ ନୁହେଁ, କିନ୍ତୁ ସେ ବାସ୍ତବ ଅଟନ୍ତି, ସେହି ସଦାପ୍ରଭୁ ଯିହୋବା ଅଟନ୍ତି, ସେହି ପରମେଶ୍ୱର “ଆମ୍ଭେ ଅଛୁ” (ସ୍ୱୟମ୍ଭୁ) ଅଟନ୍ତି। ଦ୍ୱିତୀୟରେ, ସେହି ନାମ, ହିଁ ଅଦ୍ୱିତୀୟ ହେବାର ଏକ ଦାବି ଅଟେ, ଅର୍ଥାତ୍ ତାହାଙ୍କ ସମାନ ଆଉ କେହି ନାହିଁ। “ଆମ୍ଭେ ଯେ ଅଛୁ, ସେ ଅଛୁ; ଓ ଆମ୍ଭ ତୁଲ୍ୟ କେହି ନାହିଁ।” ଇସ୍ରାଏଲ ଲୋକମାନେ ସୁଫ ସାଗର ପାର ହେବା ପରେ, ମୋଶାଙ୍କ ସଙ୍ଗୀତରେ, ଅର୍ଥାତ୍ ୧୫ ପର୍ବରେ ପୁଣିଥରେ ଏହି ବାକ୍ୟାଂଶ ଦେଖିବାକୁ ମିଳେ, ୧୧ ପଦରେ ମୋଶା ଏପରି ଗାଆନ୍ତି, “ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ?”  ଏବଂ ତାହାର ଉତ୍ତର, “ବାସ୍ତବରେ କେହି ନାହିଁ।” ସେହି ନାମ “ଆମ୍ଭେ ଅଛୁ” ଅଦ୍ୱିତୀୟ ହେବାର ଏକ ଦାବି ଅଟେ। “ଆମ୍ଭେ ଯେ ଅଛୁ, ସେ ଅଛୁ; ଓ ଆମ୍ଭ ତୁଲ୍ୟ କେହି ନାହିଁ ।” ଏବଂ ତୃତୀୟରେ, ସମସ୍ତେ ଏକମତ ଅଟନ୍ତି ଯେ ପରମେଶ୍ୱରଙ୍କ ନାମ “ଆମ୍ଭେ ଅଛୁ,” ତାହା ସେ ଅପରିବର୍ତ୍ତନୀୟ ହେବାର ଦାବି ଅଟେ। ଏହା ଏକ ଉତ୍ତମ ଶବ୍ଦ ଅଟେ, ଆମ୍ଭେମାନେ ଯାହା ଜାଣିବା ଉଚିତ, ସେଥିପାଇଁ ଏହା ଏକ ଉତ୍ତମ ଶବ୍ଦ ଅଟେ। ପରମେଶ୍ୱରଙ୍କ ଅପରିବର୍ତ୍ତନୀୟର ଧର୍ମତତ୍ତ୍ୱ ଏହା, ଯେ ସେ କେବେ ବଦଳନ୍ତି ନାହିଁ। ଏହା ସେଥିର ଅର୍ଥ ଅଟେ। “ଆମ୍ଭେ ଅପରିବର୍ତ୍ତନୀୟ, ଆମ୍ଭେ କେବେ ପରିବର୍ତ୍ତନ ହୋଇ ନ ଥାଉ, ଆମ୍ଭେ ଯେ ଅଛୁ, ସେ ଅଛୁ।”  ଆପଣ ଓ ମୁଁ, କିଛି ପରିମାଣରେ, ଆମ୍ଭମାନଙ୍କ ଅନୁଭବରୁ ଜାତ ଅଟୁ, ଆମ୍ଭେମାନେ ନୋହୁଁ କି? ଆମ୍ଭେମାନେ, କିଛି ପରିମାଣରେ, ଆମ୍ଭମାନଙ୍କ ପରିସ୍ଥିତିରୁ ଉତ୍ପନ୍ନ ଅଟୁ। ଆମ୍ଭେମାନେ ଯେ ଅଟୁ, ସେହି ରୂପ ଦେବା ପାଇଁ, କିଛି ମାତ୍ରାରେ, ଅନେକ ଶକ୍ତି ଆମ୍ଭମାନଙ୍କ ଜୀବନରେ କ୍ରିୟାଶୀଳ ଥିଲା। ମାତ୍ର ପରମେଶ୍ୱର ଏହା ଦାବି କରନ୍ତି ଯେ ସେ ଯେ ଅଟନ୍ତି, ସେଥିପାଇଁ ଏହିପରି କୌଣସି ବାହ୍ୟ ଶକ୍ତି କାର୍ଯ୍ୟକାରୀ ହୋଇପାରେ ନାହିଁ। “ଆମ୍ଭେ ଯେ ଅଛୁ, ସେ ଅଛୁ। ସେ ଅନ୍ୟ କୌଣସି ଲୋକଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ବ୍ୟକ୍ତି ନୁହଁନ୍ତି। ଆମ୍ଭେ ଯେ ଅଛୁ, ସେ ଅଛୁ, ଓ ତେଣୁ, ଆମ୍ଭେ ପରିବର୍ତ୍ତନ ହେଉ ନାହିଁ।” ଏବଂ ସମସ୍ତ ବାଇବଲ ମାଧ୍ୟମରେ ଏହି ଦାବି କରାଯାଇଅଛି, କାରଣ ପରମେଶ୍ୱର ହେଉଛନ୍ତି ସେ, ଯେ ପରିବର୍ତ୍ତନ ହେଉ ନାହାନ୍ତି। ଉଦାହରଣ ସ୍ୱରୁପ, ପୁରାତନ ନିୟମର ଅନ୍ତିମ ପୁସ୍ତକ, ମଲାଖି ୩:୬ ପଦରେ ପରମେଶ୍ୱର କହନ୍ତି, “କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ ଏହେତୁ ହେ ଯାକୁବଙ୍କ ସନ୍ତାନଗଣ, ତୁମ୍ଭମାନଙ୍କର ବିନାଶ ହୁଏ ନାହିଁ।” ଅନ୍ୟ ବାକ୍ୟରେ, “ଆମ୍ଭେ ଯେ ଅଛୁ, ସେ ଅଛୁ, ଓ ଆମ୍ଭର ପରିବର୍ତ୍ତନ ନାହିଁ, ଆମ୍ଭେ ତୁମ୍ଭ ସହିତ କରିଥିବା ଆପଣା ନିୟମକୁ ରକ୍ଷା କରିବା ଓ ଆମ୍ଭେ ତୁମ୍ଭକୁ, ଅର୍ଥାତ୍ ଆମ୍ଭ ଲୋକମାନଙ୍କୁ ବିନଷ୍ଟ ହେବାକୁ ଦେବା ନାହିଁ।” ଏହା ଅସ୍ତିତ୍ୱର ଏକ ଦାବି ଅଟେ, ଏହା ଅଦ୍ୱିତୀୟ ହେବାର ଏକ ଦାବି ଅଟେ, ଏହା ଅପରିବର୍ତ୍ତନୀୟ ହେବାର ଏକ ଦାବି ଅଟେ। ଏହି ତିନୋଟି ବିଷୟରେ ସମସ୍ତ ଭାଷ୍ୟକାର ଓ ଧର୍ମଶାସ୍ତ୍ରଜ୍ଞମାନେ ସହମତ ଅଟନ୍ତି।

ପରମେଶ୍ୱର ମୋଶାଙ୍କୁ କହନ୍ତି, “ଆମ୍ଭେ ଯେ ଅଛୁ, ସେ ଅଛୁ।” ତାହା ତାହାଙ୍କ ପ୍ରକାଶନ ଅଟେ। ପରମେଶ୍ୱର କେବଳ ଆପଣା ନାମ ଦ୍ୱାରା ପ୍ରକାଶ କରନ୍ତି ନାହିଁ, କିନ୍ତୁ ଶେଷରେ ଆପଣା ପୁତ୍ରଙ୍କ ଦ୍ୱାରା ଆପଣାକୁ ପ୍ରକାଶ କରନ୍ତି, ସେ ନୁହେଁ କି? ଏବଂ ମୁଁ ଯୀଶୁଙ୍କୁ ଉଲ୍ଲେଖ କରିବା ବିନା ଯିହୋବାଙ୍କ ବିଷୟରେ ଉଲ୍ଲେଖ କରି ପାରିବି ନାହିଁ। ଯୋହନ ୧୪:୯ ପଦରେ ଯୀଶୁ ଆପଣା ଶିଷ୍ୟଗଣଙ୍କୁ କହନ୍ତି, “ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି।” ଯୀଶୁ ଈଶ୍ୱରଙ୍କ ସମ୍ପୂର୍ଣ୍ଣ ପ୍ରକାଶନ ଅଟନ୍ତି, ଏପରିକି ଯାହା ତାହାଙ୍କ ନାମ ପ୍ରକାଶ କରେ ତାହାଠାରୁ ମଧ୍ୟ ଅଧିକ। କିନ୍ତୁ ଏଥିପାଇଁ, ଯୋହନ ୮:୫୮ରେ ଯିହୂଦୀମାନଙ୍କ ସହିତ ତର୍କବିତର୍କ କରିବା ସମୟରେ ଯୀଶୁ ଯାହା କହନ୍ତି, ତାହା ବୁଝିବା ଅତି ସମାଲୋଚନାମୂଳକ ଅଟେ, ସେ କହନ୍ତି, “ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି।” ଏବଂ ଯିହୂଦୀ ଲୋକମାନେ ବାସ୍ତବରେ ତାହା ବୁଝିଥିଲେ, ଯାହା ଯୀଶୁ ଦାବି କରୁଥିଲେ। ଯୀଶୁ ନିଜକୁ “ଆମ୍ଭେ ଅଛୁ” ବୋଲି ଦାବି କରୁଥିଲେ। ସେ ଯିହୋବା, ବୁଦା ମଧ୍ୟର ଅଗ୍ନିଶିଖାରେ ଉପସ୍ଥିତ ସଦାପ୍ରଭୁ ପରମେଶ୍ୱର  ବୋଲି ଦାବି କରୁଥିଲେ ତେଣୁ ସେମାନେ ତାହାଙ୍କୁ ପଥର ଫୋପାଡ଼ି ମାରିବାକୁ ଚେଷ୍ଟା କଲେ, କାରଣ ସେମାନେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। ମାତ୍ର ପରମେଶ୍ୱର ସ୍ୱୟମ୍ଭୁ, ଅଦ୍ୱିତୀୟ ଓ ଅପରିବର୍ତ୍ତନୀୟ ଅଟନ୍ତି।

ତେଣୁ, ପରମେଶ୍ୱର ମୋଶାଙ୍କୁ ଆହ୍ୱାନ କରନ୍ତି ଓ ମୋଶାଙ୍କୁ ତାହାଙ୍କ ଦାୟିତ୍ୱ ଦିଅନ୍ତି, ପୁଣି ମୋଶା ଏବଂ ତାଙ୍କ ଭାଇ ହାରୋଣ ମିସରକୁ ପ୍ରସ୍ଥାନ କରନ୍ତି।  ଯାତ୍ରା ପୁସ୍ତକ ୪ ପର୍ବର ରୁଚିକର ବିଷୟ ଏହା ଯେ, ପରମେଶ୍ୱର ଯାହା ଆଶା କରନ୍ତି, ସେ ତାହା ମୋଶାଙ୍କୁ ପ୍ରକାଶ କରନ୍ତି। ଯାତ୍ରା ପୁସ୍ତକ ୪:୨୧ ପଦରୁ ଲେଖାଯାଏ, “ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ‘ସାବଧାନ, ତୁମ୍ଭେ ମିସରକୁ ଫେରିଗଲେ, ଆମ୍ଭେ ତୁମ୍ଭ ହସ୍ତରେ ଯେ ସବୁ ଆଶ୍ଚର୍ଯ୍ୟକର୍ମ କରିବାକୁ ଦେଇଅଛୁ, ତାହା ଫାରୋ ସାକ୍ଷାତରେ କରିବ; ମାତ୍ର ଆମ୍ଭେ ତାହାର ମନ କଠିନ କରିବା; ତହିଁରେ ସେ ଲୋକମାନଙ୍କୁ ଛାଡ଼ି ଦେବ ନାହିଁ। ପୁଣି ତୁମ୍ଭେ ଫାରୋକୁ କହିବ, ‘ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର; ଆମ୍ଭେ ତୁମ୍ଭକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ି ଦିଅ; କିନ୍ତୁ ଯଦି ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କର; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।’” ଯଦିଓ ଏହି ଅନୁଚ୍ଛେଦରୁ ଆମ୍ଭେମାନେ ଅନେକ ବିଷୟ ଜାଣିଥାଉ, ତଥାପି ଏଥିରୁ ନିଶ୍ଚିତ ଭାବରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥାଏ, ଏହା ନୁହେଁ କି? ମୋ କହିବାର ଅର୍ଥ, ଯାତ୍ରା ପୁସ୍ତକରେ ଦଶଥର ଏହା ଲେଖାଯାଏ, ଯେ ପରମେଶ୍ୱର ଫାରୋଙ୍କ ମନ କଠିନ କଲେ। ସେ ଫାରୋଙ୍କ ମନ କଠିନ କରନ୍ତି, ଯେପରି ସେ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ପ୍ରତି କୌଣସି ପ୍ରତ୍ୟୁତ୍ତର ଦେବେ ନାହିଁ। ଆଉ ଆପଣ ଆପଣା ମସ୍ତକ କୁଣ୍ଡାଇ ଭାବନ୍ତି, କାହିଁକି? ପରମେଶ୍ୱର, ଆପଣ କାହିଁକି ତାହା କରିବାକୁ ଯାଉଅଛନ୍ତି? କିନ୍ତୁ, ଯେତେବେଳେ ଆମ୍ଭେମାନେ ଆଗକୁ ପଢ଼ୁ, ତେବେ ଆହୁରି ଅନ୍ୟ ପ୍ରଶ୍ନଗୁଡ଼ିକ ମଧ୍ୟ ଉଠିଥାଏ। ପବିତ୍ରଶାସ୍ତ୍ର କହେ ଯେ ପରମେଶ୍ୱର ଦଶଥର ଫାରୋଙ୍କ ମନ କଠିନ କଲେ। ପବିତ୍ରଶାସ୍ତ୍ର କହେ, ଫାରୋ ଦଶଥର ଆପଣା ମନ କଠିନ କଲା। ଆଉ ଆପଣ ଆପଣା ମସ୍ତକ କୁଣ୍ଡାଇ ଭାବନ୍ତି, ବାସ୍ତବରେ ଫାରୋଙ୍କ ମନ କିଏ କଠିନ କଲା? କ’ଣ ତାହା ପରମେଶ୍ୱର କଲେ ନା ଫାରୋ ନିଜେ କଲା? ଏହି ଅନୁଚ୍ଛେଦ ଅନେକ ପ୍ରଶ୍ନ ଉଠାଇଥାଏ, କିନ୍ତୁ ଯେତେବେଳେ ଆମ୍ଭେମାନେ କାହାଣୀର ଆଗକୁ ପଢ଼ୁ, ସେଥିର ଉତ୍ତର ପାଇ ପାରିବା, କିନ୍ତୁ, ଆମ୍ଭମାନେ ଦଶମ ମହାମାରୀ ବିଷୟରେ ବୁଝିବା ପାଇଁ ଏହି ଅନୁଚ୍ଛେଦ ନିଶ୍ଚିତ ଭାବରେ ସାହାର୍ଯ୍ୟ କରେ। ଦଶମ ମହାମାରୀ ବୁଝିବା ପାଇଁ କଷ୍ଟକର ଅଟେ, ଏହା ନୁହେଁ କି? ସମଗ୍ର ମିସରରେ ପ୍ରଥମଜାତର ବଧ। ପୂର୍ବରୂ ଆମ୍ଭମାନଙ୍କୁ କୁହାଗଲା ଯେ ଯଦି ମିସର, ପରମେଶ୍ୱରଙ୍କ ପ୍ରଥମଜାତ ପୁତ୍ର, ଇସ୍ରାଏଲକୁ ବଧ କରିବା ଜାରି ରଖେ, ତେବେ ପରମେଶ୍ୱର ତାହା ବଦଳରେ ମିସରର ପ୍ରଥମଜାତ ପୁତ୍ରକୁ ବଧ କରିବେ। ତାହା ସେମାନଙ୍କ ପାପର ଦଣ୍ଡ ଅଟେ।

ତେଣୁ, ମୋଶା ଜାଣିବାକୁ ପାଇଲେ ଯେ କ’ଣ ଆଶା କରିବା ଆବଶ୍ୟକ। ସେ ଫାରୋଙ୍କ ନିକଟକୁ ଯାଆନ୍ତି, ଓ ୫:୧ ପଦରୁ ଲେଖାଯାଏ, “ଅନନ୍ତର ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, ‘ଇସ୍ରାଏଲର ସଦାପ୍ରଭୁ ପରମେଶ୍ଵର କହନ୍ତି, “ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ।” ତହିଁରେ ଫାରୋ କହିଲେ, ‘ସଦାପ୍ରଭୁ କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଯିବାକୁ ଦେବୁ? ଆମ୍ଭେ ସଦାପ୍ରଭୁକୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ି ଦେବୁ ନାହିଁ। ମିସରରେ ଦେବି ଦେବତାଙ୍କ ଅଭାବ ନ ଥିଲା। ସେମାନଙ୍କ ପ୍ରତ୍ୟେକ ଦେବି ଦେବତାଙ୍କ ପାଇଁ ମନ୍ଦିର ଥିଲା, ପ୍ରତ୍ୟେକଙ୍କ ପ୍ରତିମା ଥିଲା, କିନ୍ତୁ ତହିଁ ମଧ୍ୟରେ ଯିହୋବା ନାମରେ କୌଣସି ପରମେଶ୍ୱରଙ୍କ ନିମନ୍ତେ ମନ୍ଦିର ନ ଥିଲା। ତେଣୁ, ଫାରୋ କହନ୍ତି, “ସଦାପ୍ରଭୁ କିଏ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଯିବାକୁ ଦେବୁ ନାହିଁ।” ଆଉ ଯେତେବେଳେ ଆମ୍ଭେମାନେ କାହାଣୀର ଆଗକୁ ପଢ଼ୁ, ଆମ୍ଭେମାନେ ଦେଖୁ ଯେ ପରମେଶ୍ୱର ଦୁଇଟି ଅଦ୍ଭୁତ ବାକ୍ୟ ସ୍ଥାପିତ କରୁଅଛନ୍ତି। ପ୍ରଥମ ବାକ୍ୟ ଏହା ଯେ ପରମେଶ୍ୱର ମୋଶାଙ୍କୁ ଦୃଢିଭୂତ କରନ୍ତି, ସେ ତାହାଙ୍କ ସନ୍ତାନମାନଙ୍କୁ ଦୃଢ଼ିଭୂତ କରନ୍ତି ଯେ, ସେ ଆପଣା ନିୟମକୁ ରକ୍ଷା କରିବେ। ଯାତ୍ରା ୬:୬ ପଦକୁ ଦେଖନ୍ତୁ, “ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ଵରୁ ମୁକ୍ତ କରିବା, ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ତ ଦ୍ଵାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା। ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା; ତହିଁରେ ମିସ୍ରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ଵର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।” ଏହା ସମ୍ପୂର୍ଣ୍ଣ ଯାତ୍ରା ପୁସ୍ତକରେ ଦେଖିବାକୁ ମିଳେ। ଏହା ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ପ୍ରତି ପରମେଶ୍ୱରଙ୍କ ବିଶ୍ୱାସ ଯୋଗ୍ୟତାର କାହାଣୀ ଅଟେ, ଯେ ସେ ତାହାଙ୍କୁ ଏକ ସନ୍ତାନ ପ୍ରଦାନ କରିବେ, ଓ ସେହି ସନ୍ତାନରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବେ ଓ ସେ ତାହାଙ୍କୁ ଗୋଟିଏ ଦେଶ ପ୍ରଦାନ କରିବେ, ପୁଣି ସେ ସେମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଜଗତରେ ଆଶୀର୍ବାଦ ଆକର ହେବେ। ଆଉ ଯାତ୍ରା ପୁସ୍ତକର ଏହି କାହାଣୀ ସେହି ପ୍ରତିଜ୍ଞା ପ୍ରତି ପରମେଶ୍ୱରଙ୍କ ବିଶ୍ୱାସ ଯୋଗ୍ୟତାର କାହାଣୀ ଅଟେ। ଏହି ନିୟମର ସାରମର୍ମ ପ୍ରଥମ ଥର ପାଇଁ ପ୍ରକାଶ କରାଯାଏ, ଯେତେବେଳେ ପରମେଶ୍ୱର କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା।” ତାହା ସମ୍ପୂର୍ଣ୍ଣ ବାଇବଲରେ ଏକ ଘୋଷା ପରି ବାରମ୍ବାର ଉଲ୍ଲେଖ କରାଯାଏ। ତାହା ହିଁ ସେହି ନିୟମର ମର୍ମ ଅଟେ ଯେ, ଆମ୍ଭେ ସେମାନଙ୍କ ପରମେଶ୍ୱର ଅଟୁ ଓ ସେମାନେ ଆମ୍ଭ ଲୋକ ଅଟନ୍ତି। ଆମ୍ଭେ ସେହି ଲୋକମାନଙ୍କ ପରମେଶ୍ୱର, ପରିତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା, ଓ ଯୋଗାଇବା ବ୍ୟକ୍ତି ରୂପରେ କାର୍ଯ୍ୟ କରିବା ପାଇଁ ଆପଣାକୁ ବାଧ୍ୟ କରୁ। ଆଉ ତାହା ପରିବର୍ତ୍ତେ, ସେମାନେ ଆମ୍ଭ ଲୋକ ହୋଇ ରହିବେ। ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା ଓ ସେମାନେ ଆମ୍ଭ ଲୋକ ହେବେ।” ଆଉ ପରମେଶ୍ୱର କହୁଅଛନ୍ତି, “ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା ନିମନ୍ତେ ଆପଣା ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ, ଆପଣା ନିୟମକୁ ରକ୍ଷା କରିବା ପାଇଁ ଯାହା କରିବାକୁ ଆବଶ୍ୟକ ହେବ, ଆମ୍ଭେ ତାହା କରିବା, ଯେପରି ସେମାନେ ଆମ୍ଭ ଲୋକ ହୋଇ ରହିବେ।” ସମ୍ପୂର୍ଣ୍ଣ ଯାତ୍ରା ପୁସ୍ତକର କାହାଣୀ ତାହା ଅଟେ, ଏହା କେବଳ କେତୋଟି ଭୟାନକ ଘଟଣାରେ ପୂର୍ଣ୍ଣ କାହାଣୀର ପୁସ୍ତକ ନୁହେଁ। ଏହା, ପରମେଶ୍ୱର ଆପଣା ବାକ୍ୟ ପ୍ରତି ବିଶ୍ୱାସଯୋଗ୍ୟ ହେବା ଓ ଆପଣା ପ୍ରତିଜ୍ଞାକୁ ସଫଳ କରିବାର କାହାଣୀ ଅଟେ।

କିନ୍ତୁ, ଏହି ପର୍ବମାନଙ୍କରେ ଅନ୍ୟ ଏକ ବାକ୍ୟ ଦେଖିବାକୁ ମିଳେ। ଏବଂ ଏହା ଏକ ରୁଚିକର ବାକ୍ୟ ଅଟେ, ଯେହେତୁ ଯିହୋବା ପରମେଶ୍ୱର କହନ୍ତି (ଟେପ୍ ଶେଷରେ ଏକ ଖାଲି ସ୍ଥାନ ଅଛି)। ପର୍ବ ୭:୩ ପଦକୁ ଦେଖନ୍ତୁ, ପରମେଶ୍ୱର କହନ୍ତି, “ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା। ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ତ ଦ୍ଵାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା। ପୁଣି ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।” ଆମ୍ଭେମାନେ ପୂର୍ବରେ ଉଠାଇଥିବା ପ୍ରଶ୍ନର ଉତ୍ତର ଏଠାରେ ପାଉ ଯେ, ପରମେଶ୍ୱର କାହିଁକି ଫାରୋଙ୍କ ମନକୁ କଠିନ କଲେ? ପରମେଶ୍ୱର ଆପଣା ମହାନତାକୁ ଘୋଷଣା କରିବାକୁ ଚାହାଁନ୍ତି, ସେ ଆପଣା ନାମକୁ ଘୋଷଣା କରିବାକୁ ଚାହାଁନ୍ତି, ସେ ଆପଣା ଗୌରବକୁ ଘୋଷଣା କରିବାକୁ ଚାହାଁନ୍ତି, ସେ ଯେ ଅଟନ୍ତି, ତାହା ମିସରର ଲୋକମାନଙ୍କୁ ଘୋଷଣା କରିବାକୁ ଚାହାଁନ୍ତି। ଆଉ ଯଦି ମୋଶା ଫାରୋଙ୍କ ନିକଟକୁ ଯାଇ କହନ୍ତି, “ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ” ଓ ଫାରୋ କହେ, “ଠିକ୍ ଅଛି”, ତେବେ କୌଣସି ସୁଯୋଗ ମିଳି ନ ଥା’ନ୍ତ। ତେବେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବା ପାଇଁ ସୁଯୋଗ ନ ଥା’ନ୍ତା, ଯାହା ଦ୍ୱାରା ପରମେଶ୍ୱର ଆପଣା ଗୌରବ, ପୁଣି ସେ ଯେ କିଏ ତାହା ଘୋଷଣା କରି ପାରନ୍ତି। ସେ ଫାରୋଙ୍କ ମନକୁ କଠିନ କରନ୍ତି, ଯେପରି ସେ ମହାମାରୀ # ୧ ପ୍ରତି ପ୍ରତିକ୍ରିୟା ନ ଦିଏ। ଏଥିଉତ୍ତାରେ ସେ ମହାମାରୀ # ୨ କୁ ପଠାନ୍ତି। ଫାରୋଙ୍କ ମନ କଠୋର ହୁଏ, ତେଣୁ ପରମେଶ୍ୱର ମହାମାରୀ # ୩ କୁ ପଠାନ୍ତି, ଆଉ ଏହିପରି ନିରନ୍ତର ହୋଇଥାଏ। ଆମ୍ଭେମାନେ ଏଠାରେ ତାହା ଦେଖିବାକୁ ପାଉ। ଫାରୋଙ୍କ ମନ କଠିନ ହେବା ଏକ ମଞ୍ଚ ସ୍ୱରୂପ ଅଟେ ଯେଉଁଠାକୁ ପରମେଶ୍ୱର ସମସ୍ତ ମହାମାରୀକୁ ପଠାଇ ପାରନ୍ତି, ଓ ଦଶଗୋଟି ମହାମାରୀ ଦ୍ୱାରା ସେ ଆପଣା ନାମ, ଆପଣା ଗୌରବ, ଆପଣା ଶକ୍ତି, ଓ ଆପଣା ଆଶ୍ଚର୍ଯ୍ୟକର୍ମକୁ ଘୋଷଣା କରନ୍ତି। ବର୍ତ୍ତମାନ, ନିଶ୍ଚିତ ଭାବରେ ଅନ୍ୟ କାରଣଗୁଡ଼ିକ ମଧ୍ୟ ରହିଅଛି। ଆମ୍ଭେମାନେ ଆଦି ପୁସ୍ତକ ୧୫ ପର୍ବରୁ ଜାଣୁ ଯେ ଏହା ଏକ ନ୍ୟାୟର କାର୍ଯ୍ୟ ଅଟେ। କିନ୍ତୁ, ଏହି ଅନୁଚ୍ଛେଦର ମୁଖ୍ୟ ବିନ୍ଦୁ ଏହା ଯେ, ସେ ମିସରର ଲୋକମାନଙ୍କ ମଧ୍ୟରେ ଆପଣା ନାମ ଘୋଷଣା କରିବାକୁ ଚାହାଁନ୍ତି। ସେ ଫାରୋଙ୍କ ମନକୁ କଠିନ କରନ୍ତି, ଏବଂ ଆମ୍ଭେମାନେ ଗୋଟିଏ ନୁହେଁ, ମାତ୍ର ଦଶଗୋଟି ମହାମାରୀକୁ ଦେଖୁ। ଆଉ ପରମେଶ୍ୱରଙ୍କ ପାଖେ ମିସରର ଲୋକମାନଙ୍କ ନିକଟରେ ଆପଣା ଗୌରବ ଘୋଷଣା କରିବା ପାଇଁ ଦଶଟି ସୁଯୋଗ ଅଛି।

ମୁଁ ଜାଣେ, ଯେ କେତେକ ଲୋକ ତାହା ଦେଖି ପାରନ୍ତି, ଓ ସେମାନେ ଏହି ମହାମାରୀରୁ ମିଳୁଥିବା ଦୁଃଖ ଓ ଯନ୍ତ୍ରଣାକୁ ଦେଖି, ବିଶେଷ ଭାବରେ ଦଶମ ମହାମାରୀ, କହିପାରନ୍ତି ଓ ଆମ୍ଭମାନଙ୍କ ମନରେ ଏପରି କିଛି ଥିବାରୁ ଆମ୍ଭେମାନେ କହି ପାରୁ, ପ୍ରଭୁ, କ’ଣ ତାହା ସେଥିର ତୁଲ୍ୟ ଥିଲା କି? କ’ଣ ବାସ୍ତବରେ ଆପଣଙ୍କ ନାମ ଘୋଷଣା କରିବା ପାଇଁ ମିସରରେ ସେତିକି ଯନ୍ତ୍ରଣା ପଠାଇବାର ଆବଶ୍ୟକ ଥିଲା କି?” ପରମେଶ୍ୱର ଉତ୍ତର ଦିଅନ୍ତି, ହଁ, ଏହା ଆବଶ୍ୟକ ଥିଲା। ୧୪ ପର୍ବରେ ସେ ବିଶେଷ ଭାବରେ ଆପଣା ଗୌରବ ବିଷୟରେ ପ୍ରକାଶ କରିବାକୁ ଯାଉଅଛନ୍ତି। ଆଉ ପରମେଶ୍ୱରଙ୍କ ଉତ୍ତର ଏହା ଯେ, “ଦଶଗୋଟି ମହାମାରୀରୁ ଉତ୍ପନ୍ନ ଦୁଃଖ ଓ ଯନ୍ତ୍ରଣା, ଏପରିକି ଜ୍ୟେଷ୍ଠ ସନ୍ତାନମାନଙ୍କ ବଧଠାରୁ ମଧ୍ୟ ଆମ୍ଭ ଗୌରବ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ।” ଆମ୍ଭେମାନେ ସମସ୍ତେ ୧୪ ପର୍ବରେ ଏହି ବିଷୟରେ ଅଧିକ ଆଲୋଚନା କରିବା।

ଏହିରୂପେ, ମଞ୍ଚ ପ୍ରସ୍ତୁତ ହୋଇଅଛି ଓ ଯାତ୍ରା ୭:୧୪ ପଦରୁ ୧୦ ପର୍ବ ପର୍ଯ୍ୟନ୍ତ ଆମ୍ଭେମାନେ ଦଶଟି ମହାମାରୀକୁ ଦେଖୁ। ଏବଂ ସେହି ସମସ୍ତ ମହାମାରୀ ସମାନ ପୃଷ୍ଠଭୂମିରେ ଦେଖିବାକୁ ମିଳେ। ମୋଶା ଫାରୋଙ୍କୁ ସାକ୍ଷାତ କରନ୍ତି ଓ କହନ୍ତି, “ଇସ୍ରାଏଲର ସନ୍ତାନଗଣ ପ୍ରାନ୍ତରରେ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଛାଡ଼ି ଦିଅ।” ଫାରୋଙ୍କ ମନ କଠିନ ହୁଏ। ସେ ସେମାନଙ୍କୁ ଛାଡ଼ିବା ପାଇଁ ମନା କରନ୍ତି। ମହାମାରୀ ଆସେ ଓ ପ୍ରାୟ ସବୁବେଳେ ଫାରୋ କହନ୍ତି, “ମୁଁ ଭୁଲ କରିଅଛି। ମୋଶା ତୁମ୍ଭେ ଯାଇ ପ୍ରାର୍ଥନା କର, ଯେପରି ପରମେଶ୍ୱର ଏହି ମହାମାରୀକୁ ଦୂର କରନ୍ତି ଓ ତା’ଉତ୍ତାରେ ମୁଁ ଲୋକମାନଙ୍କୁ ଛାଡ଼ିଦେବି।” ମୋଶା ପ୍ରାର୍ଥନା କରନ୍ତି, ମହାମାରୀ ଦୂର ହୁଏ ଓ ତା’ଉତ୍ତାରେ ଫାରୋ ଆପଣା ମନକୁ ପୁନର୍ବାର ପରିବର୍ତ୍ତନ କରନ୍ତି, ପୁଣି ସେ ଲୋକମାନଙ୍କୁ ଯିବା ପାଇଁ ଅନୁମତି ଦିଅନ୍ତି ନାହିଁ, କାରଣ ତାହାର ମନ କଠିନ ହୁଏ। #୧ ମହାମାରୀ ନୀଳ ନଦୀର ଜଳ ରକ୍ତରେ ପରିଣତ ହେବା। #୨ ମହାମାରୀ ସମ୍ପୂର୍ଣ୍ଣ ମିସର ଦେଶରେ ବେଙ୍ଗ ବ୍ୟାପିଯିବା। #୩ ମହାମାରୀ ଉକୁଣିଆ ପୋକ ସମ୍ପୂର୍ଣ୍ଣ ମିସର ଦେଶରେ ବ୍ୟାପିବା। #୪ ମହାମାରୀ ଦଂଶକାଦି ଝାଙ୍କ ସମ୍ପୂର୍ଣ୍ଣ ମିସର ଦେଶରେ ବ୍ୟାପିବା। ଏବଂ  #୫ ମହାମାରୀ ସମୟରେ କିଛି ପରିବର୍ତ୍ତନକୁ ଦେଖୁ, କାରଣ ପରମେଶ୍ୱର ଏହି ସମୟଠାରୁ କେବଳ ମିସରରେ ମହାମାରୀକୁ ଆଣିଥିଲେ, ତାହା ତାହାଙ୍କ ଲୋକମାନଙ୍କ ମଧ୍ୟରେ ପ୍ରବେଶ କରି ନ ଥିଲା। ବର୍ତ୍ତମାନ ସେ ମିସର ଦେଶ ଓ ଆପଣା ଲୋକମାନଙ୍କ ମଧ୍ୟରେ ଭିନ୍ନତାକୁ ସୃଷ୍ଟି କରିଥିଲେ। ତେଣୁ ପରମେଶ୍ୱର  #୫ ମହାମାରୀ ପଠାଇ ଅଧିକାଂଶ ଗୃହପାଳିତ ପଶୁଗଣଙ୍କୁ ହତ୍ୟା କରନ୍ତି। ସେ ଲୋକମାନଙ୍କ ମଧ୍ୟରେ ଦାହଯୁକ୍ତ ବଥ ପଠାନ୍ତି ଓ ସେହି ବଥ ସକାଶୁ ଫାରୋଙ୍କ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଛିଡ଼ା ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସ୍ରୀୟମାନଙ୍କ ଶରୀରରେ ବଥ ଜାତ ହୁଏ। ପରେ ସେ ଶିଳା ବୃଷ୍ଟି ହେତୁ ସମସ୍ତ ମନୁଷ୍ୟ ଓ ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ନଷ୍ଟ କରେ। ପରେ ସେ ପଙ୍ଗପାଳ ଦ୍ୱାରା କ୍ଷେତ୍ରର ସମସ୍ତ ତୃଣାଦି ହରିତ୍ ବର୍ଣ୍ଣକୁ ନଷ୍ଟ କରେ ଏବଂ ପରିଶେଷରେ ତିନି ଦିନର ଅନ୍ଧକାର ବ୍ୟାପ୍ତ ହୁଏ, ଏହି ପରି ଆମ୍ଭେମାନେ ନଅଟି ମହାମାରୀକୁ ଦେଖୁ। ତଥାପି ଫାରୋର ମନ କଠିନ ହୁଏ ଓ ଇସ୍ରାଏଲ ଲୋକମାନଙ୍କୁ ଯିବା ପାଇଁ ଅନୁମତି ଦିଏ ନାହିଁ। ଯେତେବେଳେ ଆପଣ କାହାଣୀକୁ ଏହି ବିନ୍ଦୁରେ ପଢ଼ୁଅଛନ୍ତି, ପରମେଶ୍ୱର ଆଉ କେତୋଟି ପର୍ବ ପର୍ଯ୍ୟନ୍ତ ନିରବ ରହିଅଛନ୍ତି, କାରଣ ସେ ମୋଶା ଓ ତାହାଙ୍କ ଲୋକମାନଙ୍କୁ ଦଶମ ମହାମାରୀ ପାଇଁ ପ୍ରସ୍ତୁତ କରୁଅଛନ୍ତି। ସେ ଜାଣନ୍ତି ଯେ ଏହି ଦଶମ ମହାମାରୀ ଫାରୋଙ୍କ କଠିନ ହୃଦୟକୁ ଚୂର୍ଣ୍ଣ କରିବାକୁ ଯାଉଅଛି।  ସେ ଜାଣନ୍ତି ଯେ ଏହି ଦଶମ ମହାମାରୀ ହେତୁ ଫାରୋ ଇସ୍ରାଏଲ ଲୋକମାନଙ୍କୁ ଯିବା ପାଇଁ ଅନୁମତି ପ୍ରଦାନ କରିବ ଓ ସେମାନେ ମିସର ଧନ ହରଣ କରି ନେବେ। ଆଦି ପୁସ୍ତକ ୧୫ ପର୍ବରେ ଅବ୍ରହାମଙ୍କୁ ଦେଇଥିବା ତାହାଙ୍କ ପ୍ରତିଜ୍ଞାକୁ ସ୍ମରଣ କରନ୍ତୁ। ସେ ଆପଣା ପ୍ରତିଜ୍ଞାର ଏହି ଭାଗକୁ ରକ୍ଷା କରିବାକୁ ଯାଉଅଛନ୍ତି। ସେ ଇସ୍ରାଏଲର ସନ୍ତାନଗଣଙ୍କୁ ଏକ ମହାନ ଦେଶ ଦେବାକୁ, ମିସରର ଧନ ହରଣ କରିବା ପାଇଁ ଅନୁମତି ଦେବାକୁ ଯାଉଅଛନ୍ତି।

ଦୟାକରି ୧୧:୪ ପଦକୁ ଦେଖନ୍ତୁ। ପରମେଶ୍ୱର ମୋଶାଙ୍କୁ କ’ଣ କହିବାକୁ ଅଛି, ତାହା କହୁଅଛନ୍ତି। ଯାତ୍ରା ପୁସ୍ତକ ୧୧:୪ ପଦ, “ଏଥିଉତ୍ତାରେ ମୋଶା କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟଦେଇ ଗମନ କରିବା। ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ। ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।” ୯ ପଦରେ, “ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ‘ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ। ପୁଣି ମୋଶା ଓ ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଥିଲେ; ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଛାଡ଼ି ଦେଲେ ନାହିଁ।” ଏହା ଏକ କଠିନ ମହାମାରୀ ଅଟେ, ଏହା ନୁହେଁ କି? ଜ୍ୟେଷ୍ଠ ସନ୍ତାନଗଣର ବଧକୁ ବୁଝିବା କଠିନ ଅଟେ। ଏହା କଠିନ ଅଟେ। ଆପଣ ଆପଣା ମନରେ ଅନୁଭବ କରୁଅଛନ୍ତି, ମୁଁ ଆପଣା ମନରେ ଅନୁଭବ କରୁଅଛି। ଏବଂ ତଥାପି ପରମେଶ୍ୱର ନ୍ୟାୟବାନ ଓ ପ୍ରେମମୟ ଅଟନ୍ତି ଓ ସବୁ ବିଷୟ ଉପରେ ସେ ଆପଣା ନାମ ଓ ଗୌରବକୁ ଘୋଷଣା କରିବା ପାଇଁ ଚାହାଁନ୍ତି। ତାହା ମଧ୍ୟରେ ଓ ଏକ ଦଣ୍ଡ ରୂପରେ ସେ ମିସରର ପ୍ରାୟ ସମସ୍ତ ପରିବାରର ଜ୍ୟେଷ୍ଠ ସନ୍ତାନକୁ ବଧ କରିବାକୁ ଯାଉଅଛନ୍ତି, ଯେହେତୁ ଫାରୋ ତାହାଙ୍କ ଜ୍ୟେଷ୍ଠ ସନ୍ତାନଙ୍କୁ ହତ୍ୟା କରୁଅଛି।

୧୨ ପର୍ବ ନିସ୍ତାର ପର୍ବର କାହାଣୀ ଅଟେ। ଯଦି ଆପଣ ଏହି କାହାଣୀ ବିଷୟରେ ଅପରିଚିତ ଅଟନ୍ତି, ଯଦି ଆପଣଙ୍କ ସନ୍ତାନଗଣ ଏହି କାହାଣୀ ବିଷୟରେ ଅପରିଚିତ ଅଟନ୍ତି, ତେବେ ଦୟାକରି ତାହା ପଢନ୍ତୁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ, ଏହାକୁ ଅଧ୍ୟୟନ କରିବା ପାଇଁ ମୋ ପାଖେ ସମୟ ନାହିଁ। କିନ୍ତୁ ଇସ୍ରାଏଲ ଲୋକମାନେ ଏକ ଉତ୍ସର୍ଗୀକୃତ ପଶୁକୁ ବଧ କରିବା ପାଇଁ ଓ ସେହି ପଶୁର ରକ୍ତ ଦ୍ୱାରରେ ଲଗାଇବା ପାଇଁ ନିର୍ଦେଶ ପାଇଲେ, ଯେପରି ଯେତେବେଳେ ସଂହାରକ ଦୂତ ମିସର ହୋଇ ଯିବ, ତେବେ ସେ ସେହି ପରିବାରର ଜ୍ୟେଷ୍ଠ ସନ୍ତାନକୁ ବଧ କରିବ ନାହିଁ। ଏଣୁ ଆସନ୍ତୁ ଆମ୍ଭେମାନେ ଯାତ୍ରା ପୁସ୍ତକ ୧୨ ପର୍ବର ୨୯ ପଦ ଦେଖିବା, “ଏଥିଉତ୍ତାରେ ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ । ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିସ୍ରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ; ପୁଣି ମିସର ଦେଶରେ ମହା ରୋଦନ ହେଲା; କାରଣ ଏପରି ଗୃହ ନ ଥିଲା ଯେଉଁ ଗୃହରେ କେହିଁ ମରି ନ ଥିଲେ। ତହୁଁ ରାତ୍ରି କାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର। ତୁମ୍ଭମାନଙ୍କ ବାକ୍ୟାନୁସାରେ ଗୋମେଷାଦି ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ମଧ୍ୟ ଆଶୀର୍ବାଦ କର।” ଶେଷରେ ଫାରୋଙ୍କ ହୃଦୟ ବିଦୀର୍ଣ୍ଣ ହେଲା, ଓ ପରମେଶ୍ୱର ଆପଣା ସିଦ୍ଧ ଓ ନ୍ୟାୟ ଦଣ୍ଡ ମିସର ଉପରେ ବର୍ତ୍ତାଇଲେ। ଆଉ ଫାରୋ ଇସ୍ରାଏଲକୁ, ଅର୍ଥାତ୍ ପରମେଶ୍ୱରଙ୍କ ଜ୍ୟେଷ୍ଠ ସନ୍ତାନକୁ ମିସର ଦେଶରୁ ଯିବାକୁ ଦେଲେ। ଦୟାକରି ୩୬ ପଦକୁ ଦେଖନ୍ତୁ, ତାହା ଅତ୍ୟଧିକ ରୁଚିକର ଅଟେ। ଏପରି ଜଣା ପଡ଼େ ଯେ ତାହା ପୂର୍ବରୁ ନିର୍ଦ୍ଧାରିତ ଥିଲା। “ତହିଁରେ ସଦାପ୍ରଭୁ ମିସ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ, ସେମାନେ ତାହା ଦେଲେ। ଏହି ପ୍ରକାରେ ସେମାନେ ମିସ୍ରୀୟମାନଙ୍କ ଧନ ହରଣ କଲେ। ଅନନ୍ତର ଇସ୍ରାଏଲ ସନ୍ତାନମାନେ ବାଳକ ଛଡ଼ା ପ୍ରାୟ ଛଅ ଲକ୍ଷ ପୁରୁଷ ପାଦଗତିରେ ରାମିଷେଷ୍‌ଠାରୁ ସୁକ୍କୋତକୁ ଯାତ୍ରା କଲେ।” କ’ଣ ତାହା ଆଂଶିକ ଧର୍ମତତ୍ତ୍ୱ? ନିଶ୍ଚିତ ଭାବରେ ତାହା ନୁହେଁ। ଏହା ୪୩୦ ବର୍ଷ ପୂର୍ବରୁ ଆଦି ପୁସ୍ତକ ୧୫ ପର୍ବରେ ପରମେଶ୍ୱର ଅବ୍ରହାମଙ୍କୁ କରିଥିବା ନିୟମ ପ୍ରତିଜ୍ଞାର ସଫଳତା ଅଟେ। ସେମାନେ ମିସରର ଧନ ହରଣ କଲେ। ପରମେଶ୍ୱର ଏକ ପାପୀ ଦେଶର ନ୍ୟାୟ କରିଅଛନ୍ତି ଓ ଅବ୍ରହାମଙ୍କୁ ଏକ ମହାଗୋଷ୍ଠୀ ରୂପରେ ପ୍ରସ୍ତୁତ କରୁଅଛନ୍ତି, ସେ ନୁହେଁ କି? ସେମାନେ ବାଳକ ଓ ସ୍ତ୍ରୀମାନଙ୍କ ଛଡ଼ା ପ୍ରାୟ ଛଅ ଲକ୍ଷ ପୁରୁଷ ଅଟନ୍ତି। ପରମେଶ୍ୱର ଆପଣା ନିୟମର ପ୍ରତିଜ୍ଞା ପ୍ରତି ବିଶ୍ୱାସଯୋଗ୍ୟ ଅଟନ୍ତି।

ବର୍ତ୍ତମାନ, ଆପଣ ଏହି ଅଂଶକୁ ଦେଖନ୍ତି ଓ ଆପଣ କହନ୍ତି, “ଠିକ୍ ଅଛି, କାହାଣୀ ଏଠାରେ ସମାପ୍ତ ହେଲା, ଏହା ନୁହେଁ କି?” କିନ୍ତୁ, ତାହା ହୋଇ ନାହିଁ, କାରଣ ଯେପର୍ଯ୍ୟନ୍ତ ଆମ୍ଭେମାନେ ୧୪ ପର୍ବର କାହାଣୀ, ଅର୍ଥାତ୍ ସୁଫ ସାଗରକୁ ପାର ହେବାର କାହାଣୀକୁ ପଢ଼ି ନାହୁଁ, ଯାତ୍ରା ପୁସ୍ତକର କାହାଣୀ ସମାପ୍ତ ହୁଏ ନାହିଁ। ପରମେଶ୍ୱର ମୋଶାଙ୍କୁ ଜାଣି ଏକ ନିର୍ଦ୍ଧିଷ୍ଟ ପଥରେ ଯାତ୍ରା କରିବାକୁ କହନ୍ତି, କାରଣ ତାହା ଫାରୋଙ୍କୁ ଏପରି ଜଣା ପଡ଼େ ଯେ ଇସ୍ରାଏଲ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ କେଉଁଠାକୁ ଯାଉଅଛନ୍ତି, ଏବଂ ସେମାନେ ମରୁଭୂମିରେ ଭ୍ରମଣ କରୁଅଛନ୍ତି, ସେମାନେ ବୃତ୍ତାକାର ହୋଇ ଯାତ୍ରା କରୁଅଛନ୍ତି। ତେଣୁ, ପରମେଶ୍ୱର ଯାତ୍ରା ପୁସ୍ତକ ୧୪ ପର୍ବ ୩ ପଦର ଆରମ୍ଭରେ ମୋଶାଙ୍କୁ କହିଲେ, “ତହିଁରେ ଫାରୋ ଇସ୍ରାଏଲ-ସନ୍ତାନଗଣ ବିଷୟରେ କହିବ, ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି। ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ଵାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ। ତହୁଁ ସେମାନେ ସେହିପରି କଲେ।” ଇଂରାଜୀର ଭାଷା ଏନ୍‌ଆଇଭି ବାଇବଲର ଅନୁବାଦ ଆମ୍ଭମାନଙ୍କ ପାଇଁ ଏହି ପଦକୁ ସରଳ କରେ ଯେଉଁଠାରେ ପରମେଶ୍ୱର କହନ୍ତି, “ପୁଣି ଆମ୍ଭେ ଫାରୋ ଦ୍ଵାରା ଗୌରବ ପାଇବା।” ପରମେଶ୍ୱର ସମାପ୍ତ କରି ନାହାଁନ୍ତି। ପରମେଶ୍ୱର ମିସର ଓ ଇସ୍ରାଏଲ ମଧ୍ୟରେ, ସେ ଯେ କିଏ, ତାହା ଘୋଷଣା କରିବା ବନ୍ଦ କରି ନାହାଁନ୍ତି। ଆପଣା ନାମକୁ ପ୍ରକାଶ କରିବା ବନ୍ଦ କରି ନାହାଁନ୍ତି। ଆପଣା ଗୌରବକୁ ପ୍ରକାଶ କରିବା ବନ୍ଦ କରି ନାହାଁନ୍ତି। ତେଣୁ, ପରମେଶ୍ୱର ଫାରୋଙ୍କ ମନକୁ ପୁଣି କଠିନ କରନ୍ତି, ଓ ଫାରୋ ଏପରି କିଛି କାର୍ଯ୍ୟ କରେ, ଯାହା ମୁର୍ଖତାପୂର୍ଣ୍ଣ ଅଟେ। ଇସ୍ରାଏଲ ଲୋକମାନେ ମିସରକୁ ତ୍ୟାଗ କରିଅଛନ୍ତି ବୋଲି ୮ ପଦରେ ଫାରୋଙ୍କୁ କୁହାଗଲା। ପୁଣି ଥରେ ଯିହୋବା ସଦାପ୍ରଭୂ ମିସରର ରାଜା ଫାରୋଙ୍କ ମନକୁ କଠିନ କରନ୍ତି। ଫାରୋ ଭାବିଲା, “ଆମ୍ଭକୁ ଆପଣା ଦାସଗଣର ଆବଶ୍ୟକ ଅଟେ।” ତେଣୁ, ସେ ସେମାନଙ୍କ ପଛରେ ଗୋଡ଼ାଇବାକୁ ଲାଗିଲା। ୧୩ ପଦରେ, ଇସ୍ରାଏଲ ଲୋକମାନେ ମିସ୍ରୀୟ ଲୋକମାନଙ୍କୁ ଆସୁଥିବା ଦେଖନ୍ତି, “ତହୁଁ ମୋଶା ଲୋକମାନଙ୍କୁ କହିଲେ...” ଏହା ପବିତ୍ରଶାସ୍ତ୍ରର ପଦଗୁଡ଼ିକ ମଧ୍ୟରୁ ଏକ ମହାନ ବାକ୍ୟ ଅଟେ। ଯଦି ଏହା ଆପଣଙ୍କ ବାଇବଲରେ ଚିହ୍ନଟ କରାଯାଇ ନାହିଁ, ତେବେ ଆପଣ ତାହା ଚିହ୍ନଟ କରିବା ଉଚିତ। “ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନନ୍ତ କାଳଯାଏ ଆଉ କେବେ ଦେଖିବ ନାହିଁ। ପରମେଶ୍ଵର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନିରବ ରହିବ।” ଆହା! ଯଦି ଆମ୍ଭେମାନେ ସେହି ପାଠକୁ ବୁଝିପାରିଥାନ୍ତେ, ତେବେ ଆମ୍ଭେମାନେ ମୁକ୍ତ ହୋଇ ଗୃହରେ ରହିଥାନ୍ତେ, ଆମ୍ଭେମାନେ କି ରହି ନ ଥାନ୍ତେ? ଅତଏବ, ୧୫ ପଦରେ ପରମେଶ୍ୱର ମୋଶାଙ୍କୁ କହନ୍ତି, “ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣକୁ କୁହ, ସେମାନେ ଅଗ୍ରସର ହେଉନ୍ତୁ।” ସୁଫ ସାଗର ସେମାନଙ୍କ ସମ୍ମୁଖରେ ଅଛି ଓ ସେ କହୁଛନ୍ତି, “ଅଗ୍ରସର ହେଉନ୍ତୁ”! ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ। ପୁଣି ଆମ୍ଭେ, ଦେଖ, ଆମ୍ଭେ ମିସ୍ରୀୟମାନଙ୍କ ହୃଦୟ କଠିନ କରିବା।” ବର୍ତ୍ତମାନ, ପରମେଶ୍ୱର ସମସ୍ତଙ୍କ ହୃଦୟକୁ କଠିନ କରୁଅଛନ୍ତି। ଆପଣ କଳ୍ପନା କରି ପାରିବେ, ମୁଁ ଚିନ୍ତା କରେ, ଯେ ଆପଣ ଗୋଟିଏ ମିସ୍ରୀୟ ପରି ସେଠାରେ ଛିଡ଼ାହୋଇ ସୁଫ ସାଗରକୁ ଦୁଇଭାଗ ହେଉଥିବା ଦେଖନ୍ତି, ଏବଂ ଯଦି ଆପଣ ଚଳଚ୍ଚିତ୍ର ଦେଖିଅଛନ୍ତି, ତେବେ ସେମାନେ ଆମ୍ଭମାନଙ୍କୁ ସେହି ଦୃଶ୍ୟ ଦେଖିବାକୁ ସାହାର୍ଯ୍ୟ କରିଅଛନ୍ତି ଯେ ବାସ୍ତବରେ ସେହି ଦୃଶ୍ୟ କି ଅଦ୍ଭୁତ ହୋଇଥିବ। ସେମାନେ ଛିଡ଼ା ହୋଇ ସାଗର ଦୁଇଭାଗ ହେବା ଦେଖୁଅଛନ୍ତି। “ମୁଁ ସେଠାକୁ ଯିବି ନାହିଁ, ଆଃ-ଆଃ! ତାହା ବିସ୍ମୟକର।” କିନ୍ତୁ, ପରମେଶ୍ୱର ସେମାନଙ୍କ ହୃଦୟକୁ କଠିନ କଲେ। “ପୁଣି ଆମ୍ଭେ, ଦେଖ, ଆମ୍ଭେ ମିସ୍ରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ।” ଏକ ବଡ଼ ଭୁଲ। “ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ ଓ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କ ଦ୍ଵାରା ସମ୍ଭ୍ରମ ପ୍ରାପ୍ତ ହେବା। ଆଉ ଫାରୋ ଓ ତାହାର ରଥ ଓ ତାହାର ଅଶ୍ଵାରୂଢ଼ ଲୋକମାନଙ୍କ ଦ୍ଵାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ।”

ତେଣୁ, ଆପଣ କାହାଣୀକୁ ଜାଣନ୍ତି। ଇସ୍ରାଏଲ-ସନ୍ତାନଗଣ ସୁଫ ସାଗର ମଧ୍ୟରେ ଦୁଇଭାଗ ହୋଇଥିବା ପଥରେ ଯାତ୍ରା କରୁଅଛନ୍ତି। ମିସ୍ରୀୟ ଲୋକମାନେ ସେମାନଙ୍କ ପଛେ ଆସନ୍ତି। ସେମାନେ ସାଗରର ଅନ୍ୟ ପାର୍ଶ୍ୟରେ ପାର ହୁଅନ୍ତି ଓ ପରମେଶ୍ୱର ସୁଫ ସାଗରକୁ ହଠାତ୍ ପତନ କରି ସମସ୍ତ ମିସ୍ରୀୟ ସୈନ୍ୟଳକୁ ଆଘାତ କରନ୍ତି। ନିଶ୍ଚିତ ଭାବରେ ଏହା ଏକ ମହାନ କାହାଣୀ ଅଟେ, ଏହା ନୁହେଁ କି? ଏହା ବାଇବଲ ବିପକ୍ଷରେ ବିବାଦ କରୁଥିବା ଲୋକମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା କାହାଣୀମାନଙ୍କ ମଧ୍ୟରୁ ଏକ ଅଟେ। ମୁଁ ଜାଣେ ନାହିଁ, ମୁଁ କେତେଥର ଏହିପରି କହୁଥିବା ଶୁଣିଅଛି ଯେ, “ସୁଫ ସାଗର ଅଧିକ ଗଭୀର ନ ଥିଲା, ଏହା ଅଳ୍ପ ଗଭୀର ଥିଲା ଓ ଇସ୍ରାଏଲ-ସନ୍ତାନଗଣ କାଦୁଅ ମଧ୍ୟ ଦେଇ ଗତି କଲେ।” ଏକ ମହାନ ଉତ୍ତର। ତାହାଠାରୁ ମଧ୍ୟ ଏକ ଶ୍ରେଷ୍ଠ ଆଶ୍ଚର୍ଯ୍ୟକର୍ମ ଅଟେ। ଆପଣ ଯାଅନ୍ତୁ, “କିପରି?” ତା’ଅର୍ଥ ପରମେଶ୍ୱର ମିସ୍ରୀୟ ଲୋକମାନଙ୍କୁ ତିନି ଇଞ୍ଚ ଜଳ ଦ୍ୱାରା ଆଘାତ କଲେ! ପରମେଶ୍ୱର ଜଳକୁ ଅଲଗା କରିବା ଲୋକମାନଙ୍କୁ ଅଡୁଆ ଲାଗିଥାଏ। ବହୁତ, ବହୁତ ଛୋଟ, ଛୋଟ ପରମେଶ୍ୱର।

ଏହି ଯାତ୍ରାର କାହାଣୀରୁ ଆମ୍ଭେମାନେ କ’ଣ ଶିଖିଅଛୁ? ଏହି “ଯାତ୍ରା” ଶବ୍ଦ ଦୁଇଟି ଗ୍ରୀକ ଶବ୍ଦରୁ ଆସିଅଛି, ଯେପରି ଇଂରାଜୀ ଶବ୍ଦଗୁଡ଼ିକ। “ଏକ୍ସ” (Ex) ଏକ ଅବ୍ୟୟ ଅଟେ ଯାହାର ଅର୍ଥ “ଠାରୁ” ଓ ହୋଡ଼ୋସ୍ (hodos)ର ଅର୍ଥ “ମାର୍ଗ ବା ଯାତ୍ରାପଥ”, ଏବଂ ଏକ୍ସୋଡସ୍ (ଯାତ୍ରା ପୁସ୍ତକ)ର ଅର୍ଥ ମିସରରୁ ବାହାର ହୋଇ ଯିବା। ଆମ୍ଭେମାନେ କ’ଣ ଶିଖୁ? ବାସ୍ତବରେ ଅନେକ ବିଷୟ ଶିଖୁ। କିନ୍ତୁ, ଆଜି ସକାଳେ, ଏହି ଯାତ୍ରାରୁ ଆମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ଏବଂ ସେହି ନିୟମ ପ୍ରତି ତାହାଙ୍କ ଭୂମିକା ବିଷୟରେ ଯାହା ଶିଖୁ, ମୁଁ ସେହି ବିଷୟରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହେଁ। ପରବର୍ତ୍ତି ପର୍ଯ୍ୟାୟରେ ଆମ୍ଭେମାନେ ଆପଣା ନିୟମର ଭୂମିକା ବିଷୟରେ ଶିଖିବା। ମୁଁ ଅନେକ ବିଷୟ କହିପାରିବି। ସେଥିମଧ୍ୟରୁ ଦୁଇଟି ବିଷୟ କହିବାକୁ ଦିଅନ୍ତୁ। ପ୍ରଥମ ବିଷୟ: ପରମେଶ୍ୱର ବିଶ୍ୱାସଯୋଗ୍ୟ ଅଟନ୍ତି। ପରମେଶ୍ୱର ଆପଣା ପ୍ରତିଜ୍ଞାକୁ ରକ୍ଷା କରିବାରେ ବିଶ୍ୱାସଯୋଗ୍ୟ ଅଟନ୍ତି ଓ ଆଜି ପରମେଶ୍ୱର ଆପଣଙ୍କ ପ୍ରତି ଆପଣା ପ୍ରତିଜ୍ଞାକୁ ରକ୍ଷା କରିବାରେ ବିଶ୍ୱାସଯୋଗ୍ୟ ଅଟନ୍ତି। ପରମେଶ୍ୱର ଆପଣା ପ୍ରତିଜ୍ଞାକୁ ଓ ନିୟମକୁ ରକ୍ଷା କରିବା ପାଇଁ ଯାହାକିଛି କରିବାକୁ ଆବଶ୍ୟକ, ସେ ତାହା କରିବେ। ଯାତ୍ରାର ଘଟଣା ଓ ସୁଫ ସାଗର ଦୁଇଭାଗ ହେବା ବାଇବଲର ପ୍ରାଥମିକ ପରିତ୍ରାଣର ଘଟଣା ଅଟେ, ଯାହା କ୍ରୁଶର ପ୍ରତିରୂପ, ଏବଂ ୧ମ ପିତର ପର୍ଯ୍ୟନ୍ତ ନେତୃତ୍ୱ କରୁଅଛି। ଆଉ ତର୍କ ଏହା ଯେ, ଯଦି ପରମେଶ୍ୱର ଆପଣା ଲୋକମାନଙ୍କୁ ରକ୍ଷା କରିବା ପାଇଁ ତାହା କରନ୍ତି, ତେବେ ଆପଣଙ୍କୁ ମଧ୍ୟ ରକ୍ଷା କରିବେ। ଆପଣଙ୍କୁ କେବଳ ଏତିକି କରିବାର ଅଛି ଯେ ଯାତ୍ରା ପୁସ୍ତକ ୧୫ ମୋଶାଙ୍କ ଗୀତକୁ ଖୋଲନ୍ତୁ, ଏବଂ ଆପଣ ଦେଖି ପାରିବେ ଯେ ତାହା ପ୍ରଥମ ଥର ପାଇଁ ଉଲ୍ଲେଖ କରାଯାଇଅଛି, “ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି। ସେ ଅଶ୍ଵ ଓ ଅଶ୍ଵାରୋହୀଙ୍କି ସମୁଦ୍ରରେ ନିକ୍ଷେପ କରିଅଛନ୍ତି।” ଦେଖନ୍ତୁ, ତାହା ସୁଫ ସାଗର ବିଷୟରେ ଆପଣଙ୍କ ଧ୍ୟାନ ଅଟେ। ଏବଂ ଏଠାରେ ମୋଶା ପରମେଶ୍ୱରଙ୍କ ବିଶ୍ୱାସ ଯୋଗ୍ୟତାରୁ ଉପସଂହାର ପ୍ରଦାନ କରନ୍ତି। “ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ଵର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ଵର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।” ଯଦି ପରମେଶ୍ୱର ଏହା କରନ୍ତି, ଯଦି ସେ ଆପଣା ସନ୍ତାନମାନଙ୍କୁ ମିସରରୁ ବାହାର କରି ଆଣନ୍ତି, ଯଦି ସେ ମିସ୍ରୀୟମାନଙ୍କ ମଧ୍ୟରେ ଆପଣା ନାମ ଘୋଷଣା କରନ୍ତି, ଯଦି ସେ ଆପଣା ଗୌରବ ସକାଶୁ ସୁଫ ସାଗରକୁ ଦୁଇ ଭାଗ କରନ୍ତି, ପୁଣି ସେହି ଦେଶକୁ ବିନଷ୍ଟ କରନ୍ତି, ଓ ଆପଣା ବାକ୍ୟ ପ୍ରତି ବିଶ୍ୱାସଯୋଗ୍ୟ ରହନ୍ତି, ତେବେ ସେ ମୋ ପାଇଁ ଓ ଆପଣଙ୍କ ପାଇଁ ଆଜି ବି ବିଶ୍ୱାସଯୋଗ୍ୟ ରହିବେ। ଯେତେବେଳେ କଠିନ ସମୟ ଆସିଥାଏ, ସେତେବେଳେ ଦୃଷ୍ଟିହୀନ ହେବା ଆମ୍ଭମାନଙ୍କ ପ୍ରବୃତ୍ତି ହୋଇଥାଏ, ଆମ୍ଭେମାନେ ହୋଇ ନ ଥାଉ କି? ଯେତେବେଳେ କଠିନ ସମୟ ଆସିଥାଏ, ସେତେବେଳେ ପରମେଶ୍ୱରଙ୍କ ଅତୀତର ବିଶ୍ୱାସଯୋଗ୍ୟତାକୁ ଭୁଲିବାର ପ୍ରବୃତ୍ତି ହୋଇଥାଏ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କଠାରେ ଏହା ଭାବିବାର ଏକ ପ୍ରବୃତ୍ତି ଅଛି, ଅତି କମରେ ମୋ’ଠାରେ ଅଛି ଯେ, ଯେତେବେଳେ ପରମେଶ୍ୱର ଅତୀତରେ ମୋ ସହିତ ବିଶ୍ୱସ୍ଥ ହୋଇଅଛନ୍ତି, ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଯେ, ସେ ମୋ ପାଇଁ ଆପଣା ପ୍ରତିଜ୍ଞା ପ୍ରତି ବିଶ୍ୱାସଯୋଗ୍ୟ ଅଟନ୍ତି, କିନ୍ତୁ ଏହା ବ୍ୟତିକ୍ରମ ଅଟେ ଓ ଏହି ସମୟରେ ସେ ତାହା କରିବେ ନାହିଁ। ଆମ୍ଭମାନଙ୍କଠାରେ ଏହିପରି ଏକ ପ୍ରବୃତ୍ତି ଅଛି, ଏହା ନୁହେଁ କି? ଆଉ ଏହି ଯାତ୍ରା ବିଶ୍ୱାସର ଏକ ଚିତ୍କାର ଅଟେ ଏବଂ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, ଯାତ୍ରା ପୁସ୍ତକ ୧୪:୧୩। “ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନନ୍ତ କାଳଯାଏ ଆଉ କେବେ ଦେଖିବ ନାହିଁ।” ତାହା ବିଶ୍ୱାସର ଡାକ ଅଟେ, ତାହା ଯାତ୍ରାର ଡାକ ଅଟେ ଯେ, ଯେତେବେଳେ ସମୟ କଠିନ ଅଟେ, ଯେତେବେଳେ ଆମ୍ଭେମାନେ ପରମେଶ୍ୱରଙ୍କ ଅତୀତର ବିଶ୍ୱାସ ଯୋଗ୍ୟତାକୁ ଭୁଲି ଯାଇପାରୁ, ସେହି ସମୟରେ ବିଶ୍ୱାସର ଡାକ କହେ, “ତୁମ୍ଭେମାନେ ଦୃଢ଼ ହୁଅ, ଭୟ କର ନାହିଁ, ସୁସ୍ଥିର ହୁଅ, ଏବଂ ପରମେଶ୍ୱର ଆପଣା ପ୍ରତିଜ୍ଞା ପ୍ରତି ବିଶ୍ୱାସଯୋଗ୍ୟ ରହିବେ।” ଅତଏବ, ଏକାକୀ ଥିବା ସମୟରେ ପରମେଶ୍ୱର ପ୍ରତିଜ୍ଞା କରନ୍ତି, “ଆମ୍ଭେ ତୁମକୁ କେବେ ଛାଡ଼ିବା ନାହିଁ, କି ତ୍ୟାଗ କରିବା ନାହିଁ।” ଯାତ୍ରାର ଏହି କାହାଣୀ ଆମ୍ଭମାନଙ୍କୁ ଏହା ସ୍ମରଣ କରିବା ପାଇଁ ଆହ୍ୱାନ କରେ ଯେ, ଯେଉଁ ପରମେଶ୍ୱର ଆଜି ଆପଣଙ୍କୁ ପ୍ରତିଜ୍ଞା କରନ୍ତି, ସେ ସେହି ବୁଦାର ଅଗ୍ନିଶିଖାରେ ଥିବା ପରମେଶ୍ୱର ଅଟନ୍ତି। ଆଉ ଆମ୍ଭେମାନେ ବିଶ୍ୱାସର ସହିତ ପ୍ରତିଉତ୍ତର ଦେବା ପାଇଁ ଆହୁତ “ଠିକ୍ ଅଛି, ମୁଁ ଭୟ କରିବି ନାହିଁ।” ଯେଉଁମାନେ ଭାରଗ୍ରସ୍ତ ଅଟନ୍ତି, ଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରନ୍ତି ଯେ, “ମୋହର ଭାର ଉଶ୍ଵାସ ଅଟେ।” ଆଉ ଆମ୍ଭମାନଙ୍କୁ ମନେ ରଖିବା ଉଚିତ ଯେ ସେହି ପରମେଶ୍ୱର ମହାମାରୀର ପରମେଶ୍ୱର ଅଟନ୍ତି ଓ ଯାତ୍ରାର ବିଶ୍ୱାସ ଆମ୍ଭମାନଙ୍କୁ ଏହି ପରି ପ୍ରତିଉତ୍ତର ଦେବା ପାଇଁ ପ୍ରେରିତ କରେ, “ମୁଁ ଦୃଢ଼ ହୋଇ ରହିବି।” ପରମେଶ୍ୱର ପାପୀମାନଙ୍କୁ ପ୍ରତିଜ୍ଞା କରନ୍ତି, “ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ।” ପୁଣି ଯେତେବେଳେ ସମୟ କଠିନ ହୋଇଥାଏ, ଆମ୍ଭମାନଙ୍କୁ ମନେ ରଖିବା ଉଚିତ ଯେ ସେହି ପରମେଶ୍ୱର ସୁଫ ସାଗରକୁ ଦୁଇଭାଗ କରିବାର ପରମେଶ୍ୱର ଅଟନ୍ତି ଓ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ପ୍ରତିଉତ୍ତର ଦେଉ, “ସଦାପ୍ରଭୁ ମୋ’ ନିମନ୍ତେ ଯୁଦ୍ଧ କରିବେ। ସେ ମୋହର ପାପକୁ କ୍ଷମା କରିବେ।” ନିଶ୍ଚିତ ଭାବରେ ଏହା ଯାତ୍ରାର ଘଟଣାରୁ ନିର୍ଗତ ଏକ ମୁଖ୍ୟ ଅବଧାରଣା ଅଟେ ଯେ ପରମେଶ୍ୱର ବିଶ୍ୱାସଯୋଗ୍ୟ ଅଟନ୍ତି, ସେ ଆପଣା ପ୍ରତିଜ୍ଞାକୁ ରକ୍ଷା କରିବାରେ ବିଶ୍ୱାସଯୋଗ୍ୟ ଅଟନ୍ତି। ନିୟମକାରୀ ପରମେଶ୍ୱର ରୂପରେ ସେ ଆପଣଙ୍କୁ ଓ ମୋତେ, ପୁଣି ଯେଉଁମାନେ ତାହାଙ୍କ ଶିଷ୍ୟ ଅଟନ୍ତି, ସେମାନଙ୍କୁ ସେ ପ୍ରତିଜ୍ଞା କରିଅଛନ୍ତି, ଓ ପରମେଶ୍ୱର ସେହି ପ୍ରତିଜ୍ଞାଗୁଡ଼ିକ ପ୍ରତି ବିଶ୍ୱାସଯୋଗ୍ୟ ରହିବେ।

କିନ୍ତୁ, ଯାତ୍ରାର କାହାଣୀରେ ଅନ୍ୟ ଏକ ସତ୍ୟତା ଦେଖିବାକୁ ମିଳେ, ଓ ତାହା ଏହା ଯେ ପରମେଶ୍ୱର ଆପଣା ସ୍ୱ-ଗୌରବ ପ୍ରତି ଅଧିକ ମନଯୋଗୀ ଅଟନ୍ତି। ପରମେଶ୍ୱରଙ୍କ ନିମନ୍ତେ ସ୍ୱୟଂମ୍ଭୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଶୁଣିବାକୁ ଅସ୍ୱାଭାବିକ ଲାଗେ କି? ଆଜିକାଳି ତାହା ଅଧିକ ପ୍ରଚାର କରାଯାଏ ନାହିଁ, କିନ୍ତୁ ଆମ୍ଭମାନଙ୍କୁ ଏହିପରି ଚିନ୍ତା କରିବା ଉଚିତ, କାରଣ ଏହା ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିବାର ଏକ ବାଇବଲ ଚିନ୍ତାଧାରା ଅଟେ। ପରମେଶ୍ୱର ସମସ୍ତ ବସ୍ତୁଠାରୁ ଅଧିକ ଆପଣା ଗୌରବ, ଧନ୍ୟବାଦ ଓ ସମସ୍ତ ବିଷୟ ପାଇଁ ଅଧିକ ପ୍ରଶଂସା ପାଇବାରେ ମନଯୋଗୀ ଅଟନ୍ତି। ମୋତେ ଏହାକୁ ବିପରୀତ ଭାବରେ ପରିଭାଷିତ କରିବାକୁ ଦିଅନ୍ତୁ, ତା’ପରେ ପୁଣି ଏହାକୁ ଦେଖିବା। ପାପ କହେ, “ମୁଁ ବ୍ରହ୍ମାଣ୍ଡର କେନ୍ଦ୍ର ଅଟେ।” ପାପ କହେ, “ମୁଁ ଆପଣାର ମଙ୍ଗଳକୁ ପ୍ରାଧାନ୍ୟ ଦେବି।” ପାପ କହେ, “ମୁଁ ଆପଣା ସ୍ୱ-ଇଚ୍ଛାକୁ ସାଧନ କରିବି।” ପାପ କହେ, ମୁଁ ଆପଣାର ପ୍ରଶଂସା କରିବି, କ’ଣ ତାହା ଠିକ୍? ପରମେଶ୍ୱରଙ୍କୁ ବ୍ରହ୍ମାଣ୍ଡର କେନ୍ଦ୍ର ହେବାରୁ ଦୂର କରିବା, ପରମେଶ୍ୱରଙ୍କୁ ଆପଣା ଜୀବନର କେନ୍ଦ୍ର ହେବାରୁ ଦୂର କରିବା, ଓ ଆପଣାର ଆତ୍ମ-ନୈରାଶ୍ୟକୁ ଆମ୍ଭମାନଙ୍କ ଜୀବନର ସିଂହାସନରେ ବସାଇବା ଓ ଏହା ଘୋଷଣା କରିବା ଯେ ଆମ୍ଭେମାନେ ବ୍ରହ୍ମାଣ୍ଡର କେନ୍ଦ୍ର ଅଟୁ, ତାହା ପାପର ସାରମର୍ମ ଅଟେ। ଏହିପରି ଅନେକ ଉଦାହରଣ ଅଛି, ଅର୍ଥାତ୍ ଉଦାହରଣ ସ୍ୱରୁପ ଗୋଟିଏ ସରକାର, ଓ ମୁଁ ଏହି ବିଷୟରେ ଅନେକ ସମୟରେ ଆଲୋଚନା କରେ ନାହିଁ, କିନ୍ତୁ ଅନେକ ମଣ୍ଡଳୀଗଣର ସ୍ଥିତି ଏବଂ ମୁଁ କହିବି ତାହା ଆମେରିକାରେ ହୋଇଥାଏ, କାରଣ ଆମ୍ଭେମାନେ ଆମେରିକାରେ ଯେପରି କରିଥାଉ, ଆପଣ ତାହା ଏହି ଜଗତରେ ଆଉ କେଉଁଠାରେ ପାଇବେ ନାହିଁ। କାରଣ ଅନେକ ମଣ୍ଡଳୀର ଧ୍ୟାନ, ଅନେକ ମଣ୍ଡଳୀର ଉପାସନା ସଭାର ଧ୍ୟାନ, ସଙ୍ଗୀତ  ମୋତେ କିପରି ଅନୁଭବ କରାଇଥାଏ, ସେଥିରେ ଥାଏ। ଏବଂ ଏହିପରି ଘୋଷଣା କରାଯାଏ ଯେ, ପରମେଶ୍ୱର ମୋ ସୁଖଦ ପାଇଁ ଅଛନ୍ତି। ଆଉ ସେହି ପରମେଶ୍ୱର ମୋହର ଦୁଃଖ ସବୁକୁ ନେବା ପାଇଁ ଅଛନ୍ତି। ଆଉ ପରମେଶ୍ୱର ଏହି ବିଶାଳ କୋକ୍ ମସିନ୍ ଏବଂ ଆମ୍ଭେମାନେ ଆପଣା ବାସଗୃହରେ ରହିବା, ପୁଣି ପରମେଶ୍ୱର ମୋତେ ଆଶୀର୍ବାଦ ଦେବା ଉଚିତ। ଏବଂ ସର୍ବଶକ୍ତିମାନ “ଆମ୍ଭେ” ଧ୍ୟାନର କେନ୍ଦ୍ର, ଉପାସନାର କେନ୍ଦ୍ର ହୋଇଥାଏ। ମୁଁ ବିଶ୍ୱାସ କରେ, ଆମ୍ଭେମାନେ ଗାଉଥିବା ଗୀତଗୁଡ଼ିକର ଶବ୍ଦକୁ ଆପଣ ଧ୍ୟାନ ଦେଉଥିବେ। ଆଜି ସକାଳେ ଯେଉଁ ଗୀତଗୁଡ଼ିକ ଆମ୍ଭେମାନେ ଗାଇଲୁ, ତାହା ବାସ୍ତବରେ ଅଦ୍ଭୁତ ଥିଲା। ସେହି ଗୀତଗୁଡ଼ିକର ଧର୍ମତତ୍ତ୍ୱ ଅନୁସାରେ ବ୍ରହ୍ମାଣ୍ଡର କେନ୍ଦ୍ର ବାସ୍ତବରେ ମୁଁ ନୁହେଁ ଏବଂ ସମସ୍ତ ପ୍ରଶଂସା, ସମ୍ଭ୍ରମ, ଓ ଗୌରବ ପାଇବାର ଯୋଗ୍ୟ ମୁଁ ନୁହେଁ, କିମ୍ବା ସ୍ଟିଭ, ବା ଆପଣ ନୁହଁନ୍ତି, ମାତ୍ର ପରମେଶ୍ୱର ଅଟନ୍ତି।  ଏହା ସେହି ସମୟରେ କହିଥାଉ, ଯେତେବେଳେ ଆମ୍ଭେମାନେ ଆପଣାକୁ ସମସ୍ତ ବସ୍ତୁର କେନ୍ଦ୍ରରେ ରଖିଥାଉ, “ତାହା ମୋତେ କିପରି ଅନୁଭବ ହୁଏ”, ଯେତେବେଳେ ସବୁ ବିଷୟ ସେଥିରେ ନିର୍ଭର କରେ। ଏହାକୁ ପ୍ରତିମା ପୂଜା କୁହାଯାଏ, ଏହା ନୁହେଁ କି? ଏହାକୁ ପ୍ରତିମା ପୂଜା କୁହାଯାଏ, କାରଣ ମୁଁ ଏହି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଉତ୍ତମ ନୁହେଁ। ମୁଁ ସର୍ବୋଚ୍ଚ ଲକ୍ଷ ନୁହେଁ। ମୁଁ ପରମେଶ୍ୱର ନୁହେଁ। ଯଦି ରବିବାର ସକାଳ ମୋ’ର କିମ୍ବା ଆପଣଙ୍କ ଅଟେ, ଯଦି ମଣ୍ଡଳୀ ଜଣେ ମନୁଷ୍ୟ ବିଷୟରେ ଅଟେ, ଯଦି ଆମ୍ଭମାନଙ୍କ ଜୀବନ ଆମ୍ଭମାନଙ୍କ ବିଷୟରେ ଅଟେ, ତେବେ ଆମ୍ଭେମାନେ ପ୍ରତିମା ପୂଜକ ଅଟୁ। କାରଣ ଆମ୍ଭେମାନେ ପରମେଶ୍ୱରଙ୍କ ସ୍ଥାନକୁ ଦଖଳ କରିଅଛୁ ଏବଂ କେବଳ ପରମେଶ୍ୱର ଏକମାତ୍ର କେନ୍ଦ୍ର ହେବା ଉଚିତ।  ପରମେଶ୍ୱର ଉତ୍ତମ ସର୍ବଶ୍ରେଷ୍ଠ ଅଟନ୍ତି। ପରମେଶ୍ୱର ଆମ୍ଭମାନଙ୍କ ସନ୍ତୋଷଜନକ ଆନନ୍ଦ ଅଟନ୍ତି। ସେ ବ୍ରହ୍ମାଣ୍ଡର କେନ୍ଦ୍ର ଅଟନ୍ତି, ଏବଂ ସେଥିପାଇଁ, ଆମ୍ଭେମାନେ ଯାହାକିଛି କରୁ ତାହା ଦ୍ୱାରା ଆପଣାର ନୁହେଁ, ମାତ୍ର ତାହାଙ୍କ ପ୍ରଶଂସା କରିବା ଉଚିତ। ପାଉଲ କରିନ୍ଥୀୟ ମଣ୍ଡଳୀକୁ କହନ୍ତି, ଭୋଜନ କର କି ପାନ କର ଅବା ଯାହା କିଛି କର, “ଈଶ୍ଵରଙ୍କ ଗୌରବ ନିମନ୍ତେ ସବୁ କର।” ଯଦି ତାହା ଆମ୍ଭେମାନଙ୍କ ବିଷୟରେ ବାସ୍ତବ ଅଟେ, ଈଶ୍ଵର ଯଦି ସମସ୍ତ ବିଷୟର କେନ୍ଦ୍ର ହେବା ଉଚିତ, ତେବେ ତାହା ଈଶ୍ଵରଙ୍କ ବିଷୟରେ ମଧ୍ୟ ବାସ୍ତବ ଅଟେ, କାରଣ ଈଶ୍ଵର ଯଦି ଚାହାଁନ୍ତି ନାହିଁ ଯେ ସମସ୍ତ ଗୌରବ ତାହାଙ୍କ ହେଉ, ସେ ଆପଣା ସ୍ଥାନରେ ଅନ୍ୟ ଏକ ବସ୍ତୁକୁ ରଖିବେ, ସେ ତାହା କରିବେ ନାହିଁ କି? ଈଶ୍ଵର ଆପଣା ସ୍ଥାନରେ ଯେକୌଣସି ବସ୍ତୁକୁ ମଧ୍ୟ ରଖି ପାରିଥାଆନ୍ତେ, ଯେଉଁ ସ୍ଥାନ କେବଳ ତାହାଙ୍କ ଅଟେ ଏବଂ ତେଣୁ, ସେ ସ୍ୱୟଂ ବିଷୟରେ ଅଧିକ ମନଯୋଗୀ ଅଟନ୍ତି। ପରମେଶ୍ୱର ସ୍ୱଗୌରବ ପ୍ରତି ଅଧିକ ମନଯୋଗୀ ଅଟନ୍ତି ଏବଂ ଅନ୍ୟ କୌଣସି ବସ୍ତୁ, ଯାହା ପରମେଶ୍ୱରଙ୍କଠାରୁ କମ୍ ଅଟେ, ତାହା ପାପ ଅଟେ। ଏହା ଏକ ଭିନ୍ନ ଦୃଷ୍ଟିକୋଣ ଅଟେ, ଏହା ନୁହେଁ କି? ବାଇବଲର ସମସ୍ତ ଲେଖକଙ୍କ ମଧ୍ୟରୁ ଯିଶାଇୟ ଏହାକୁ ସ୍ପଷ୍ଟ ଭାବରେ ବାରମ୍ବାର ଉଲ୍ଲେଖ କରନ୍ତି। ଉଦାହରଣସ୍ୱରୂପ କେତୋଟି ବାକ୍ୟାଂଶକୁ ଦେଖନ୍ତୁ : ଯିଶାୟୀୟ ୪୨:୮ ପଦରେ ପରମେଶ୍ୱର କହନ୍ତି, “ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।” କେବଳ ତାହା ନୁହେଁ ଯେ କୌଣସି ପ୍ରତିମାକୁ ଦେବେ ନାହିଁ, ମାତ୍ର ଅନ୍ୟ କାହାକୁ ମଧ୍ୟ ନୁହେଁ। ଯିଶାଇୟ ୪୩:୭ ପଦରେ ସେ ଆପଣା ସନ୍ତାନ ଇସ୍ରାଏଲକୁ ଓ ସେ କିପରି ସେହି ଜାତିକୁ ସୃଷ୍ଟି କରିଅଛନ୍ତି, ତାହା ବର୍ଣ୍ଣନା କରନ୍ତି। ସେ କାହିଁକି ଇସ୍ରାଏଲ ଜାତିକୁ ନିର୍ମାଣ କରିଅଛନ୍ତି? ଯିଶାଇୟ ୪୩:୭ କହେ, “ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ।” ଇସ୍ରାଏଲକୁ ମୂଳତଃ ଅବ୍ରହାମଙ୍କ ସକାଶୁ ନିର୍ମାଣ କରାଯାଇ ନାହିଁ। ପରମେଶ୍ୱର ଇସ୍ରାଏଲକୁ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛନ୍ତି, ଯେପରି ତାହାଙ୍କ ଦ୍ୱାରା, ଅର୍ଥାତ୍ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା, ଓ ମସିହଙ୍କ ଆଶୀର୍ବାଦ ଦ୍ୱାରା, ପରମେଶ୍ୱର ଗୌରବପ୍ରାପ୍ତ ହେବେ। ସେ ସମ୍ପୂର୍ଣ୍ଣ ଭାବରେ ସମସ୍ତ ବସ୍ତୁର କେନ୍ଦ୍ର ଅଟନ୍ତି। ଯିଶାଇୟ ୪୮ ପର୍ବ ୯ ଓ ୧୧ ପଦରେ ସେ କହନ୍ତି ଯେ, ସେ କାହିଁକି ଇସ୍ରାଏଲ ଜାତିକୁ ବିନଷ୍ଟ ହେବାକୁ ଦେବେ ନାହିଁ। ସେ କହନ୍ତି, “ଏଥିପାଇଁ ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ଵରଣ କରିବା।” ସେ ଯିହୂଦୀମାନଙ୍କ ସହିତ ପାଗଳ ପରି ଥିଲେ, ସେ ସେମାନଙ୍କୁ ଦାସତ୍ୱ ଅବସ୍ଥାରେ ପଠାଇଥିଲେ, ତଥାପି ସେ ସେମାନଙ୍କୁ ବିନଷ୍ଟ କରି ନ ଥିଲେ। କାହିଁକି? “ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ଵରଣ କରିବା ଓ ଆପଣା ପ୍ରଶଂସା ପାଇଁ ତୁମ୍ଭ ପ୍ରତି କ୍ଷାନ୍ତ ହେବା।” ୧୧ ପଦ, “ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ।” ପରମେଶ୍ୱର ଆପଣା ଗୌରବ, ଆପଣା ପ୍ରଶଂସାର ଅନ୍ୱେଷଣକାରୀ ପରମେଶ୍ୱର ଅଟନ୍ତି। କିନ୍ତୁ, ଯଦି ଆମ୍ଭେମାନେ ତାହା ଆପଣା ପାଇଁ କରୁ, ତେବେ ତାହା ପ୍ରତିମାପୂଜା ଅଟେ। କିନ୍ତୁ, ପରମେଶ୍ୱର ତାହା କରିବା ଅର୍ଥାତ୍ ସେ ସ୍ୱଗୌରବର ଅନ୍ୱେଷଣ କରିବା ହିଁ ଯଥାର୍ଥ ଓ ନ୍ୟାୟଯୁକ୍ତ ଅଟେ, ଏପରିକି ଆପଣା ଗୌରବ ସକାଶେ ମିସରକୁ ଦଣ୍ଡ ଦେବା ବା ଜ୍ୟେଷ୍ଠ ସନ୍ତାନଗଣଙ୍କୁ ବଧ କରିବା ପରେ ମଧ୍ୟ ସେ ଧାର୍ମିକ ଓ ପବିତ୍ର ଅଟନ୍ତି। କାରଣ ତାହାଙ୍କ ଗୌରବ ଗୁରୁତ୍ୱପୂର୍ଣ୍ଣ ଅଟେ। ତାହାଙ୍କ ଗୌରବ ଏହିପରି ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ସେ ମିସର ଉପରେ ଦଣ୍ଡ ଭାବରେ ଦଶଗୋଟି ମହାମାରୀକୁ ମଧ୍ୟ ପଠାଇବେ, କିନ୍ତୁ ଅଧିକାଂଶ ଆପଣା ଗୌରବ, ସାମର୍ଥ୍ୟ, ସମ୍ଭ୍ରମକୁ ଘୋଷଣା କରିବା ସକାଶୁ ସେ ତାହା କରିବେ, ଯେପରି ସମସ୍ତ ମିସ୍ରୀୟ ଓ ଇସ୍ରାଏଲ ଲୋକମାନେ ଜାଣିବେ ଯେ ସେ ଯିହୋବା ପରମେଶ୍ୱର ଅଟନ୍ତି। କ’ଣ ପରମେଶ୍ୱର ତାହା କରିବା ଯୁକ୍ତିଯୁକ୍ତ ଅଟେ କି? ସମ୍ପୂର୍ଣ୍ଣ ଭାବରେ। ତାହା ହିଁ ବିଶ୍ୱାସର ଚିତ୍କାର ଅଟେ, ତାହା ହିଁ ଯାତ୍ରାର କ୍ରନ୍ଦନ ଅଟେ। ରୋମୀୟ ୯ ପର୍ବରେ ପାଉଲ ସ୍ପଷ୍ଟ ରୂପରେ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହାକୁ କଠିନ କରିବାକୁ ଚାହୁଁ, ତାହାକୁ ଆମ୍ଭେ କଠିନ କରିବା।” ଏହା ଶ୍ୱରଙ୍କ ଇଚ୍ଛା। ସେ ସର୍ବଭୌମ ଅଟନ୍ତି। ସେ ସର୍ବୋଚ୍ଚ ଅଟନ୍ତି। ସେ ନ୍ୟାୟବାନ ଅଟନ୍ତି। ସେ ପ୍ରେମମୟ ଅଟନ୍ତି। ଏବଂ ଈଶ୍ଵର ନିଜ ପବିତ୍ର ନାମକୁ ଏହି ପାପମୟ ଜଗତର ଦୃଷ୍ଟି ଆକର୍ଷଣ କରିବାକୁ ଯେ କୌଣସି ଦର୍ଘ୍ୟକୁ ଯିବେ।

ବର୍ତ୍ତମାନ କ୍ଷଣୀକ ବିଷୟଠାରୁ ଅଧିକ ଦେଖିବା ପାଇଁ ବିଶ୍ୱାସ ହେବା ସକାଶେ, ଉତ୍ତମତା ଓ ଆଘାତଠାରୁ ଅଧିକ ଦେଖିବା ସକାଶେ, ଯାହା କିଛି ହୁଏ ସେ ସବୁକୁ ଦେଖିପାରିବା ନିମନ୍ତେ ବିଶ୍ୱାସ ହେବା ସକାଶେ, ଯାହା କିଛି ହୋଇଥାଏ, ସେ ସବୁ ଆପଣଙ୍କୁ ଓ ମୋତେ ପରମେଶ୍ୱରଙ୍କ ଗୌରବକୁ ଘୋଷଣା କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ। ଜୀବନ ବ୍ୟତିତ କରିବାର କିପରି ସୁନ୍ଦର ଅଟେ। ମୋ କହିବାର ଅର୍ଥ, ପରମେଶ୍ୱର ପ୍ରତ୍ୟେକ ଜୀବନର କେନ୍ଦ୍ର ରୂପରେ ଏକ  ବିସ୍ମୟଜନକ, ମୌଳିକ ଦୃଷ୍ଟିକୋଣ ଅଟନ୍ତି। ଯୀଶୁ କାହିଁକି ଲାଜାରକୁ ମରିବାକୁ ଦେଲେ? ଶିଷ୍ୟଗଣ ଯୀଶୁଙ୍କ ନିକଟକୁ ଆସି କହନ୍ତି, ‘’ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି।” ସେ ମାର୍ଥା ଓ ମରିୟମଙ୍କ ଭାଇ ଅଟେ, ଅର୍ଥାତ୍ ତିନିଜଣ ଯୀଶୁଙ୍କ ଶ୍ରେଷ୍ଠ ମିତ୍ର। ଯୀଶୁ ସେହି ଯନ୍ତ୍ରଣାକୁ ଅଟକାଇ ପାରି ଥାଆନ୍ତେ, କିନ୍ତୁ ସେ କହନ୍ତି, “ସେ ମରିବା ପର୍ଯ୍ୟନ୍ତ ମୁଁ ଏଠାରେ ରହିବି, ଓ ତା’ପରେ ମୁଁ ତାହାକୁ ଭେଟିବା ପାଇଁ ଯିବି।” ଆପଣ କହନ୍ତି, “ଯୀଶୁ, ଆପଣ କାହିଁକି ତାହା କରୁଅଛନ୍ତି।” ଯୋହନ ୧୧:୧୪ ପଦରେ ଯୀଶୁ କହନ୍ତି, “ମାତ୍ର ଏହା ଈଶ୍ଵରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଵରା ମନୁଷ୍ୟ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।” ଯୀଶୁ ଏବେ ମଧ୍ୟ ଈଶ୍ୱରଙ୍କ ଗୌରବ ଘୋଷଣା କରିବାରେ ମନଯୋଗୀ ଅଟନ୍ତି, ପୁଣି ସେ ଦୁଃଖ ଓ ଯନ୍ତ୍ରଣାକୁ ବ୍ୟବହାର କରି ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ତାହା କରିବେ, ଆମ୍ଭମାନଙ୍କ ସମସ୍ତ ମୁଖ୍ୟ କଥନ ଓ ମିଶନ କଥନର କ୍ରିୟାଶୀଳ ବିବରଣକୁ ଦେଖନ୍ତୁ। “ଆମ୍ଭେମାନେ ଆତ୍ମା ଓ ସତ୍ୟରେ ଈଶ୍ୱରଙ୍କ ଅନ୍ୱେଷଣ କରୁଥିବା ଲୋକ ଅଟୁ” ଏବଂ ଅନେକ ଥର ମୁଁ ଭାବେ ଯେ “ତାହାଙ୍କ ଗୌରବ ସକାଶେ” ବାକ୍ୟକୁ ଯୋଡ଼ିବା ଉଚିତ। ଆମ୍ଭମାନଙ୍କ ମିଶନ କଥନ, “ଶିଲ୍ଲୋ  ହିଲ୍ସ୍‌ ଫେଲୋଶିପ୍ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ଶିଷ୍ୟମାନଙ୍କୁ ପ୍ରସ୍ତୁତ କରିବା ପାଇଁ ସ୍ଥାପିତ ଅଟେ। ଆମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ଲୋକମାନଙ୍କୁ ଈଶ୍ୱରଙ୍କ ଅନ୍ୱେଷଣ କରିବାକୁ ଉତ୍ସାହିତ କରିବା।” ସେ ତ୍ରୀକୋଣର କେନ୍ଦ୍ର ଅଟନ୍ତି, କ’ଣ ଠିକ କହୁଅଛି? “ପ୍ରାର୍ଥନା, ଉପାସନା ଓ ବାକ୍ୟ ଦ୍ୱାରା ଈଶ୍ୱରଙ୍କ ଅନ୍ୱେଷଣ କରିବା। ପରେ ବ୍ୟକ୍ତିଗତ ପରିପକ୍ୱତା, ସହଭାଗୀତା, ଓ ପରସ୍ପରକୁ ଗଢ଼ିବା ପାଇଁ ଶିଷ୍ୟପଣକୁ ଅନୁସରଣ କରିବା, ଓ ଅନ୍ୟମାନଙ୍କ ପରିତ୍ରାଣ ପାଇଁ ପ୍ରଚାର କାର୍ଯ୍ୟ, ଏବଂ ଈଶ୍ୱରଙ୍କ ଗୌରବ ସକାଶେ ସବୁକିଛି କରିବା।” ଆମ୍ଭେମାନେ ଏକ ଅଦ୍ଭୁତ ପରମେଶ୍ୱରଙ୍କ ସେବା କରୁ। ଆମ୍ଭେମାନେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ପରମେଶ୍ୱରଙ୍କ ସେବା କରୁ। ସେ ସମ୍ପୂର୍ଣ୍ଣ ଭାବରେ ଅଦ୍ୱିତୀୟ ଅଟନ୍ତି। ସେ ଅଦ୍ଭୁତ ଭାବରେ ଅପରିବର୍ତ୍ତନୀୟ ଅଟନ୍ତି। ସେ ଯିହୋବା ପରମେଶ୍ୱର, “ଆମ୍ଭେ ଯେ ଅଛୁ, ସେ ଅଛୁ” ଅଟନ୍ତି। ଆମ୍ଭେମାନେ ଏପରି ଏକ ପରମେଶ୍ୱରଙ୍କ ସେବା କରୁ ଯେ ଆପଣ ଓ ମୋତେ ଦେଇଥିବା ପ୍ରତିଜ୍ଞାଗୁଡ଼ିକ ପ୍ରତି ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସଯୋଗ୍ୟ ଅଟନ୍ତି। ଆମ୍ଭେମାନେ ଏହି ପରି ଏକ ପରମେଶ୍ୱରଙ୍କ ସେବା କରୁ, ଯାହାଙ୍କ ଗୌରବ ସକାଶେ ତାହାଙ୍କ ଇଚ୍ଛା ସମସ୍ତଙ୍କଠାରୁ ସର୍ବଶ୍ରେଷ୍ଠ ଅଟେ। ଆସନ୍ତୁ, ଜୀବନର ଏହି ମୌଳିକ ଦୃଷ୍ଟିକୋଣ ପ୍ରତି ଆପଣାକୁ ସମର୍ପିତ କରୁ, ଯାହା ପରମେଶ୍ୱର ଓ ତାହାଙ୍କ ଗୌରବକୁ ସର୍ବଶ୍ରେଷ୍ଠ ସ୍ଥାନ ଦେଇଥାଏ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା : ପିତା, ଆମ୍ଭେମାନେ ସ୍ୱୀକାର କରୁ ଯେ, ଯେତେବେଳେ ଆମ୍ଭେମାନେ ଏହି ପ୍ରକାରର ପଦଗୁଡ଼ିକୁ ଶୁଣିଥାଉ, ଆମ୍ଭେମାନେ ସଂଘର୍ଷ କରୁଥିବାର ପ୍ରତିକ୍ରିୟା ଦେଇଥାଉ। ଅନେକ ବିଷୟ ଅଛି, ଯାହା ଆମ୍ଭେମାନେ ବୁଝିପାରୁ ନାହିଁ। ଏହା ଆମ୍ଭମାନଙ୍କ ପାପମୟ ଆତ୍ମା, ଆମ୍ଭମାନଙ୍କ ପତିତ ଅବସ୍ଥା, ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାରେ କ୍ରିୟାଶୀଳ ଅଟେ। କିନ୍ତୁ, ପରମେଶ୍ୱର, ଯାତ୍ରାର ଡାକ, ବିଶ୍ୱାସର ଡାକ ଆମ୍ଭମାନଙ୍କ ଡାକ ହେଅନ୍ତୁ ଯେ ଆପଣ ଅନ୍ୟ ସମସ୍ତ ବସ୍ତୁଠାରୁ ଆପଣା ଗୌରବ ପ୍ରତି ମନଯୋଗୀ ଅଟନ୍ତି, କାରଣ ଆପଣ ସମସ୍ତ ବସ୍ତୁଠାରୁ ସର୍ବଶ୍ରେଷ୍ଠ ଆନନ୍ଦଦାୟକ ଅଟନ୍ତି, ଆପଣ ସର୍ବଶ୍ରେଷ୍ଠ ସନ୍ତୋଷପ୍ରଦାୟକ ଅଟନ୍ତି, ଆପଣ ସମଗ୍ର ବ୍ରହ୍ମାଣ୍ଡର କେନ୍ଦ୍ର ଅଟନ୍ତି। ପିତା, ଆମ୍ଭମାନଙ୍କ ଜୀବନ ଏହି କ୍ଷଣିକ ଦୁଃଖ ଓ କଷ୍ଟ, ପୁଣି ତା’ସହିତ ଉତ୍ତମ ବିଷୟ ବାହାରେ ମଧ୍ୟ, ଯଦିଓ ଆମ୍ଭେମାନେ ଭୋଜନ ବା ପାନ କରୁ, ଯାହା କିଛି କରୁ, ତାହା ଆପଣଙ୍କୁ ପ୍ରଶଂସା, ଗୌରବ, ସମ୍ଭ୍ରମ ପ୍ରଦାନ କରିବାରେ ବ୍ୟତିତ ହେଉ। ହେ ପରମେଶ୍ୱର, ହେ ଯିହୋବା ପରମେଶ୍ୱର ଆମ୍ଭମାନଙ୍କ ଜୀବନ ଏହି ପରି ହେଉ। ଆମେନ୍।